ଭାରତ ସହ ସମ୍ପର୍କ ଯୋଡ଼ିବାକୁ ପାକର ଗୋଟିଚାଳନା

0 74

ଇସଲାମାବାଦ, ୧୮ ।୩: ୨୦୧୯ରେ ଭାରତ ପୁଲୱାମା ଆକ୍ରମଣର କଡ଼ା ଜବାବ ଦେବା ପରେ ପାକିସ୍ତାନ ସହିତ ସମସ୍ତ ସମ୍ପର୍କ ବିଛିନ୍ନ ରହିଛି । ଏହାରି ଭିତରେ ଭାରତ ସହିତ ସମ୍ପର୍କ ଯୋଡ଼ିବା ପାଇଁ ପାକିସ୍ତାନ ଗୋଟି ଚଳାଇଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିଲେ କିଭଳି ଏସିଆରେ ଥିବା ଦେଶ ମାନଙ୍କ ସହ ଭାରତ ଯୋଡ଼ି ହୋଇ ଲାଭବାନ ହେବ ସେ ନେଇ ଜ୍ଞାନ ବାଣ୍ଟୁଛନ୍ତି ପାକିସ୍ତାନ ସେନାର ପ୍ରମୁଖ ବାଜୱା । ତେବେ ଅତୀତକୁ ଭୁଲି ଉଭୟ ଦେଶ ଆଗକୁ ବଢ଼ିବା ଦରକାର ବୋଲି ପାକିସ୍ତାନ ସେନାର ପ୍ରମୁଖ କମର ଜାଭେଦ ବାଜୱା ଇଣ୍ଡୋ-ପାକ୍ ରିଲେସନ ବୈଠକରେ କହିଛନ୍ତି । ଭାରତର ଯବାନ ଏବଂ ସାଧାରଣ ଲୋକଙ୍କୁ ହତ୍ୟା କରି ଖୁସି ମନାଉଥିବା ପାକିସ୍ତାନ ସେନାର ପ୍ରମୁଖ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଲେ ପୂର୍ବ ଏବଂ ପଶ୍ଚିମ ଏସିଆ ମଧ୍ୟରେ ଯୋଗାଯୋଗ ସୁନିଶ୍ଚିତ ହେବ । ଏମିତି ହେଲେ ଦକ୍ଷିଣ ଏବଂ ମଧ୍ୟ ଏସିଆରେ ଥିବା ସମ୍ଭାବନା ଉନ୍ମୁକ୍ତ ହେବ । ତେବେ କାଶ୍ମୀର ସମସ୍ୟାର ସମାଧାନ ନହେବା ଯାଏ ଏହି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ସମ୍ଭବ ନୁହେଁ ବୋଲି ବାଜୱା କହିଛନ୍ତି । ଦୁଇ ଦେଶ ପାଖରେ ପରମାଣୁ ବୋମା ରହିଛି । ଯେଉଁଥିପାଇଁ ପଡ଼ୋଶୀ ଦେଶ ମଧ୍ୟରେ ବିବାଦ ଏବଂ ଅନେକ ସମସ୍ୟା ସମାଧାନର କାରଣ ବୋଲି ସେ କହିଛନ୍ତି । ପୂର୍ବରୁ ବିଶ୍ୱଯୁଦ୍ଧ ଦେଖିଛି ବିଶ୍ୱ । ଏହା କିପରି ମାନବିକତା ଉପରେ ବିପଦ ସୃଷ୍ଟି କରେ ସମସ୍ତେ ଜାଣନ୍ତି ବୋଲି ବାଜୱା କହିଛନ୍ତି । ଶାନ୍ତି ବାବଦରେ ନିଜର ମତ ରଖି ବାଜୱାଙ୍କ ଏହି ମନ୍ତବ୍ୟ ଦେବାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପିଏମ୍ ଇମ୍ରାନ ଖାନ କହିଥିଲେ ଯେ ପାକିସ୍ତାନ ସହ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ହେବ । ଇମ୍ରାନ କହିଥିଲେ ଆମେ ଭାରତ ସହ ସମ୍ପର୍କକୁ ଇଚ୍ଛୁକ । କିନ୍ତୁ ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ହେବ । ସେମାନେ ଆଗକୁ ନବଢ଼ିବା ଯାଏ ଆମେ କିଛି କରିପାରିବୁ ନାହିଁ ବୋଲି ସେ କହିଥିଲେ । ତେବେ ଇମ୍ରାନଙ୍କ ମନ୍ତବ୍ୟ ପୂର୍ବରୁ ଗତ ମାସରେ ଭାରତ କହିଥିଲା ଆତଙ୍କବାଦ, ଶତ୍ରୁତା ଏବଂ ହିଂସାମୁକ୍ତ ପରିବେଶରେ ପାକିସ୍ତାନ ସହ ଭାରତ ସମ୍ପର୍କ ରଖିବାକୁ ଚାହୁଁଛି । ଆତଙ୍କବାଦ ଉପସ୍ଥିତିରେ ଭାରତ କୌଣସି କଥାବାର୍ତ୍ତା କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ଭାରତ ପାକିସ୍ତାନକୁ କହିଥିଲା ଯେ ଆଲୋଚନା ଏବଂ ଆତଙ୍କ ଏକାଠି ହୋଇପାରିବ ନାହିଁ । ଏଥିପାଇଁ ଭାରତ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଇସଲାମାବାଦ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଭାରତ କହିଥିଲା । ଇମ୍ରାନ୍ ବୁଧବାର କହିଥିଲେ ପାକିସ୍ତାନ ସହ ଶାନ୍ତି ସ୍ଥାପନ କରି ଭାରତ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରିବ । ଏହାଦ୍ୱାରା ନୂଆଦିଲ୍ଲୀ ପାକିସ୍ତାନୀ ଅଞ୍ଚଳ ଦେଇ ନିଜର ଅର୍ଥନୀତି ମଜବୁତ କରିପାରିବ ଆଉ ଏସିଆରେ ମଧ୍ୟ ନିଜର ପ୍ରଭାବ ରଖିପାରିବ । ମଧ୍ୟ ଏସୀୟକୁ ସିଧାସଳଖ ପାକିସ୍ତାନ ଦେଇ ରାସ୍ତା ରହିଛି । ମଧ୍ୟ ଏସିଆ ତୈଳ ଏବଂ ଗ୍ୟାସରେ ଭରପୂର ଥିବାରୁ ଭାରତ ପାକିସ୍ତାନ ସହ ସମ୍ପର୍କ ରଖିବା ପାଇଁ ଆଗେଇ ଆସିବା ଦରକାର ବୋଲି ଇମ୍ରାନ୍ କହିଥିଲେ ।

Leave A Reply

Your email address will not be published.