ନେତାଙ୍କ ଚାମ୍ଚାଗିରି ଛାଡ

0 73


ବର୍ତ୍ତମାନ ଭାରତରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଜୋର୍ ଧରିଛି । ଏହି ୫ଟି ରାଜ୍ୟକୁ ବର୍ତ୍ତମାନ ସବୁ ଦଳର ରାଜନେତାଙ୍କ ସୁଅ ଛୁଟିବାରେ ଲାଗିଛି । ତେବେ ଏଥିମଧ୍ୟରୁ ଯଦି କେଉଁ ରାଜ୍ୟ ଅଧିକ ଚର୍ଚ୍ଚାରେ ଥାଏ ତେବେ ତାହା ହେଉଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗ ରାଜନୀତିକୁ ନେଇ ଏବେ ଦେଶର କୋଣ ଅନୁକୋଣରେ ଆଲୋଚନା ହେଉଛି । କିଏ ଜିତିବ ଓ କିଏ ହାରିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ମମତା ବାନାର୍ଜୀଙ୍କ ସପକ୍ଷରେ ଯଦିଓ ବିଭିନ୍ନ ଏକ୍ଜିଟ୍ ପୋଲ ପୂର୍ବାନୁମାନ କରିଛନ୍ତି ତଥାପି କିନ୍ତୁ ଏଥର ବିଜେପି ଓ ଟିଏମ୍ସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ତେବେ ରାଜନୀତି ହେଉଛି ଏକ ଅନିଶ୍ଚିତତାର ଗଣିତ । କେତେବେଳେ କାହା ସପକ୍ଷରେ ହାୱା ବୋହିବ ତାହା କହିବା ମୁସ୍କିଲ୍ । ତା’ଛଡ଼ା ବର୍ତ୍ତମାନ ରାଜନୀତିରେ ଯେଭଳି ଅଜସ୍ର ଅର୍ଥ ଖର୍ଚ୍ଚ କରାଯାଉଛି ସେଥିରେ ରାତାରାତି ଭୋଟରଙ୍କୁ କିଣିବା କିଛିଟା ବଡ଼ କଥା ନୁହେଁ । କିନ୍ତୁ ଭାରତୀୟ ରାଜନୀତିରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତେ ଉପରେ କହୁଥିଲେ ବି ନିର୍ବାଚନ ଆସିଲେ ସେମାନେ ତାହାର ଓଲଟା ଆଚରଣ କରୁଥିବା ବେଶ୍ ପରିଲକ୍ଷିତ । ଗଣତନ୍ତ୍ରରେ ଆଉ ଏକ ମୂଳ ମନ୍ତ୍ର ହେଉଛି ଅହିଂସା । ଶାନ୍ତିର ବାତାବରଣରେ ନିର୍ବାଚନ ହେବା ଏକ ସୁସ୍ଥ ରାଷ୍ଟ୍ରର ପରିଚୟ ଦିଏ । କିନ୍ତୁ ଆଜିର ଦିନରେ ରାଜନୈତିକ ମଇଦାନ ଯେ କେତେମାତ୍ରାରେ କଳୁଷିତ ତାହା ଆପଣମାନେ ଜାଣିପାରୁଥିବେ । କୋଲକାତରେ ନିର୍ବାଚନୀ ପ୍ରଚାର ଆରମ୍ଭ ହେବା କ୍ଷଣି ବର୍ତ୍ତମାନ ସେଠାରେ ହିଂସାର ବାତାବରଣ ଦେଖାଦେଲାଣି । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ରାଲିରେ ଯେଭଳି ହିଂସା ଦେଖାଗଲା ଓ ତାହାର ଭିଡିଓ ପ୍ରଚାର ପ୍ରସାର ହେଲା ତାହା ଦେଖିବା ପରେ ପଶ୍ଚିମବଙ୍ଗ ନିର୍ବାଚନ ଆଗକୁ ଯେ କେତେ ଭୟଙ୍କର ରୂପ ନେବ ତାହା ଏବେଠୁ କହିହେବନାହିଁ । ନିର୍ବାଚନରେ ହିଂସା ଆଚରଣ କେବେବି କୌଣସି ରାଜନୈତିକ ଦଳକୁ ଶୋଭାଦିଏନି । ସେହିପରି ଯେଉଁମାନେ ରାଜନୈତିକ ଆକ୍ରୋଶ ରଖି ଏଭଳି ହିଂସା ଭିଆଉଛନ୍ତି ଥରେ ସେମାନେ ବି ଚିନ୍ତା କରିବା ଉଚିତ୍ ଯେ ଏହି ରାଜନେତାମାନେ କେବଳ ତାଙ୍କୁ ନିର୍ବାଚନ ସମୟରେ ଅସ୍ତ୍ର କରିବା ଜାଣିଥାନ୍ତି । ଆପଣମାନେ ଭଲଭାବେ ଦେଖିଥିବେ ନିର୍ବାଚନ ସରିବା ପରେ ବିଜୟୀ ପ୍ରାର୍ଥୀ ଓ ପରାଜୟ ପ୍ରାର୍ଥୀ ପରସ୍ପରକୁ କୋଳାକୋଳି କରିଥାନ୍ତି । ସେହିପରି ବହୁସମୟରେ ଏଭଳି ନେତା ଅଛନ୍ତି ଆଜି ଯିଏ ଅମୁକ ପାର୍ଟିରେ କାଲି ପୁଣି ବିରୋଧୀ ପାର୍ଟିରେ ସାମିଲ ହୋଇଥାନ୍ତି । କାରଣ ନେତା ଜାଣନ୍ତି ଯେ ବର୍ଷା ଜୁଆଡ଼େ, ଛତା ସେଇଆଡ଼େ । କିନ୍ତୁ ଆମ ଜନତା ଜନାର୍ଦ୍ଦନ ଯେଉଁମାନଙ୍କ ଖଣ୍ଡିଏ ଖଣ୍ଡିଏ ଭୋଟ୍ରେ ଏମାନେ ନିଜକୁ ବଳିୟାନ୍ ଭାବିଥାନ୍ତି ସେମାନେ କିନ୍ତୁ ସାମାନ୍ୟ ମଦ, ମାଂସରେ ନେତାଙ୍କ ଚାମଚାଗିରି କରିବାକୁ ପଛାନ୍ତି ନାହିଁ । ଏପରିକି ବହୁ ନିର୍ବାଚନ ସମୟରେ ପରସ୍ପରକୁ ମରଣାନ୍ତକ ଆକ୍ରମଣ କରି ହତ୍ୟାକାଣ୍ଡ ଘଟଣା ଘଟାଇବାର ନଜିର ରହିଛି । ତେଣୁ ହେ ଜନତା ଜନାର୍ଦ୍ଦନ, ଆପଣମାନେ ହିଁ ଆମ ଦେଶର ପ୍ରକୃତ ଭାଗ୍ୟବିଧାତା । ନିଜ ନିଜ ଭିତରେ କଳିଝଗଡ଼ା ଛାଡ଼ି, ନେତାଙ୍କ ଚାମଚାଗିରି ଛାଡ଼ି ସେ ଯେଉଁ ଦଳର ନେତା ହୁଅନ୍ତୁ ନା କାହିଁକି ପ୍ରଥମେ କ’ଣ କରିଛ ଓ କ’ଣ କରିବ ତାହାର ଚିଠା ନିଅନ୍ତୁ । କିନ୍ତୁ ନିଜ ନିଜ ଭିତରେ ଗଣ୍ଡଗୋଳ କରି ଦେଶର ଶାନ୍ତି ଓ ସ୍ଥିରତାକୁ କୁଠାରଘାତ କର ନାହିଁ ।

Leave A Reply

Your email address will not be published.