ଏନ୍ଆଇଏକୁ ହସ୍ତାନ୍ତର ହେଲା ମନସୁଖ ହିରେନ୍ ମୃତ୍ୟୁ ମାମଲା

0 67

ମୁମ୍ୱାଇ, ୨୦ ।୩: ମୁକେଶ ଅମ୍ୱାନୀଙ୍କ ଘରେ ଆଗରେ ଜିଲେଟିନ ଭର୍ତ୍ତି କାର ମାମଲାର ତଦନ୍ତ ସହିତ ଏହି କାରର ମାଲିକ ମନସୁଖ ହିରେନଙ୍କ ରହସ୍ୟଜନକ ମୃତୁକ୍ର ପଛର ମଧ୍ୟ ତଦନ୍ତ କରିବ ଏନଆଇଏ । ପୂର୍ବରୁ ମନସୁଖ ମାମଲାର ତଦନ୍ତ ଏଟିଏସ କରୁଥିଲା । ଏବେ କିନ୍ତୁ ମହାରାଷ୍ଟ୍ର ଗୃହ ମନ୍ତ୍ରାଳୟ ଏହି ମାମଲା ଏନଆଇଏକୁ ସ୍ଥାନାନ୍ତର କରି ଦେଇଛି । ତେବେ ଏନଆଇଏ ଏହି ମାମଲାର ତଦନ୍ତ କରିବା ପୂର୍ବରୁ ସଚିନ ବାଜେଙ୍କ ଓକିଲଙ୍କୁ ଡାକିଛି । ଏବେ ସଚିନ ବାଜେଙ୍କ ଓକିଲ ଏନଆଇଏ ଅଫିସରେ ହାଜର ହୋଇଛନ୍ତି । ତାଙ୍କ ଉପସ୍ଥିତିରେ ସଚିନ ବାଜେଙ୍କୁ ଜେରା ହେଉଥିବା ସୂଚନା ରହିଛି । ଫେବୃଆରୀ ୨୫ରେ, ମୁମ୍ୱାଇ ସ୍ଥିତ ଅମ୍ୱାନୀଙ୍କ ଘର ଆଣ୍ଟିଲିଆରୁ ଅଳ୍ପ ଦୂରରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାର ତଦନ୍ତ ମୁମ୍ବାଇ ପୁଲିସ କରୁଥିଲା । କିନ୍ତୁ କିଛିଦିନ ପରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର୍ର ମାଲିକ ମନସୁଖ ହିରେନଙ୍କର ରହସ୍ୟ ଜନକ ଭାବରେ ମୃତ୍ୟୁବରଣ କରିଥିଲେ । ଏହା ପରେ ମନସୁଖଙ୍କ ପତ୍ନୀ ଏପିଆଇ ସଚିନ ବାଜେଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ଆଉ ମହାରାଷ୍ଟ୍ର ସରକାର ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଏହି ମାମଲାର ତଦନ୍ତ ପ୍ରଥମେ ମୁମ୍ୱାଇ ପୁଲିସ ପରେ ଏଟିଏସ କରୁଥିଲା । ମନସୁଖ ହିରେନର ମୃତ୍ୟୁ ପୂର୍ବରୁ ସଚିନ ବାଜେ ସହ ଏକାଠି ଥିଲେ । ଏମିତିକି ଅନେକ ଥର ଉଭୟ ଫୋନରେ କଥା ହୋଇଥିବା କଲ ରେକର୍ଡରୁ ଜଣ।।ପଡ଼ିଛି । ସଚିନ ବାଜେ କୋର ଚୋରି ମାମଲାରେ ଆତ୍ମସମର୍ପଣ କରିଦେଲେ ଜାମିନ କରାଇଦେବ ବୋଲି କହିଥିବା ମୃତକଙ୍କ ସ୍ତ୍ରୀ କହିଛନ୍ତି । ଏହି କଥା ତାଙ୍କୁ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ ଫୋନରେ କହିଥିଲେ ବୋଲି ବିମଳା ହିରେନ କହିଥିଲେ । ଶବ ବ୍ୟବଚ୍ଛେଦ ବେଳେ ସଚିନ କାହିଁକି ଉପସ୍ଥିତ ଥିଲେ? ପୁଲିସ ପ୍ରଥମେ ମନସୁଖ ଆତ୍ମହତ୍ୟା କରିଛନ୍ତି ବୋଲି କହିଥିଲା । ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡ଼ିଛି ସେ ପାଣିରେ ବୁଡ଼ି ଆତ୍ମହତ୍ୟା କରି ନାହାନ୍ତି କାରଣ ତାଙ୍କ ପେଟରେ ପାଣି ନଥିଲା । ମୁହଁରେ ରୁମାଲ ପୁରାଯାଇ ନଦୀକୁ ଠେଲି ଦିଆଯାଇଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ସଚିନ ବାଜେ ଏବେ ଅପରାଧୀ ବୋଲି ପ୍ରଶ୍ନ ଉଠିଛି । ଏନଆଇଏ ତଦନ୍ତ ଆରମ୍ଭ କରିବା ପରେ ସନ୍ଦେହ ଘେରକୁ ଆସିଥିଲେ ସଚିନ ବାଜେ । ଆଉ ସଚିନ ଗିରଫ ହୋଇ ଏବେ ମାର୍ଚ୍ଚ ୨୫ ଯାଏ ଏନଆଇଏ ହେପାଜତରେ ରହିଛନ୍ତି । ଏହାରି ଭିତରେ ବାଜେ ଅନେକ ପ୍ରମାଣ ନଷ୍ଟ କରି ଦେଇଥିବା ଜଣାପଡ଼ିଛି । ତାଙ୍କ ଲାପଟପ୍ ଓ ଆଇ ପ୍ୟାଡ ମଧ୍ୟ ଜବତ ହୋଇଛି । ହେଲେ ଏହାରି ଭିତରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାରଟି ଆଣ୍ଟିଲିଆ ସାମ୍ନାରେ ରଖିବା ବେଳର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ସଚିନ ବାଜେ ପିପିଇ କିଟ୍ ପିନ୍ଧି କାର ପାର୍କିଂ କରି ଚାଲି ଚାଲି ଯାଉଥିବାର ଏନଆଇଏ କହିଛି । ହେଲେ ପ୍ରମାଣ ପାଇଁ ତଥ୍ୟ ଯୋଗାଡ଼ କରୁଛି । ଏମିତିକି ଶୁକ୍ରବାର ବିଳମ୍ୱିତ ରାତିରେ ଏନଆଇଏ ସଚିନ ବାଜେଙ୍କୁ ଢିଲା କୁର୍ତ୍ତା ପିନ୍ଧାଇ ଚଲାଇ ଚଲାଇ ସିନ୍ ରିକ୍ରିଏଟ କରିଛି । ଏବେ ପ୍ରଶ୍ନ ବିସ୍ଫୋରକ ସାମଗ୍ରୀ କିଏ ଆଣିଲା ଓ କେମିତି ଆସିଲା? ବାଜେ ବିସ୍ଫୋରକ ସାମଗ୍ରୀ ନିଜେ କିଣିଛନ୍ତି ନାଁ ବିସ୍ଫୋରକ ସାମଗ୍ରୀ ସଚିନଙ୍କ ପାଖରେ ପହଞ୍ଚାଇବାରେ ଆଉ ଏକ ରାକେଟ ଅଛି? ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ପଛରେ ବାଜେଙ୍କର ଉଦ୍ଦେଶ୍ୟ କ’ଣ? ଅମ୍ୱାନୀଙ୍କ ବିରୋଧରେ କାହିଁକି ଷଡଯନ୍ତ୍ର? ଏବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଏନଆଇଏ ଏବଂ ସିଏଫଏସଏଲ୍ ଟିମ୍ ସଚିନ୍ ବାଜେଙ୍କୁ ସେହି ସ୍ଥାନକୁ ନେଇ ଯାଇଥିଲେ ଯେଉଁଠି ଆଣ୍ଟିଲିଆ ବାହାରେ ସ୍କୋର୍ପିରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା ।

Leave A Reply

Your email address will not be published.