ଦତ୍ତାତ୍ରେୟ ହୋସବାଲେ ହେଲେ ଆରଏସଏସର ସାଧାରଣ ସମ୍ପାଦକ

0 69

ନୂଆଦିଲ୍ଲୀ, ୨୦ ।୩: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ)ର ସାଧାରଣ ସମ୍ପାଦକ ବା ସରକାର୍ଯ୍ୟବାହ ହୋଇଛନ୍ତି ଦତ୍ତାତ୍ରେୟ ହୋସବାଲେ । ଆରଏସଏସର ଅଖିଳ ଭାରତୀୟ ପ୍ରତିନିଧି ସଭା ଦତ୍ତାତ୍ରେୟଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରିଛି । ଭୟାଜୀ ଯୋଶୀ ଆରଏସଏସର ସାଧାରଣ ସମ୍ପାଦକ ଭାବେ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟ କରୁଥିଲେ । ତେବେ ତାଙ୍କ କାର୍ଯ୍ୟକାଳ ପୂରଣ ହୋଇଯିବାରୁ ବେଙ୍ଗାଲୁରୁରେ ଚାଲିଥିବା ଆରଏସଏସର ପ୍ରତିନିଧି ସଭାର ଦ୍ୱିତୀୟ ଦିନରେ ସର୍ବସମ୍ମତିକ୍ରମେ ଦତ୍ତାତ୍ରେୟଙ୍କୁ ପରବର୍ତ୍ତୀ ସରକାର୍ଯ୍ୟବାହ ଭାବେ ନିଯୁକ୍ତି କରାଯାଇଛି । ଏବେ ଦତ୍ତାତ୍ରେୟ ୩ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ । କର୍ଣ୍ଣାଟକାର ଶିବମୋଗା ଜିଲ୍ଲା ହୋସବାଲେ ଗାଁର ମୂଳବାସିନ୍ଦା ହେଉଛନ୍ତି ଦତ୍ତାତ୍ରେୟ । ସେ ୧୯୬୮ରେ ଆରଏସଏସରେ ସାମିଲ ହୋଇଥିଲେ । ଏହାପରେ ସେ ୧୯୭୨ରେ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ଯୋଗଦେଇଥିଲେ । ଜରୁରୀକାଳୀନ ସ୍ଥିତି ଲାଗୁ ହେବା ବେଳେ ତାଙ୍କୁ ଏମଆଇଏସଏ ବଳରେ ବର୍ଷ ତମାମ ଜେଲରେ ରହିବାକୁ ପଡ଼ିଥିଲା । ଜେଲରୁ ବାହାରିବା ବେଳେ ସେ ଆରଏସଏସ ଓ ଏବିଭିପି ପାଇଁ ପୂର୍ବଭଳି କାମ କରି ଚାଲିଥିଲେ । ଶୁକ୍ରବାର ଆରଏସଏସ ପକ୍ଷରୁ ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ ବୟାନ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମାଧାନ କରିବା ପାଇଁ ପ୍ରୟାସ ଚାଲିଛି । ହେଲେ କିଛି ଦେଶଦ୍ରୋହୀ ଓ ଅସାମାଜିକ ଫୋର୍ସ ସମାଧାନର ବାଟକୁ ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି । ରାଜନୀତିକ ଫାଇଦା ପାଇଁ ଦେଶରେ ଅସ୍ଥିରତା ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ପାଇଁ ଏହି ଆନ୍ଦୋଳନ ଜରିଆରେ ପ୍ରୟାସ କରାଯାଉଛି ବୋଲି ଆରଏସଏସ ତା’ର ବାର୍ଷିକ ରିପୋର୍ଟରେ କହିଛି ।

Leave A Reply

Your email address will not be published.