ଚାଇନା ଟିକା ନେବା ପରେ ଇମ୍ରାନଙ୍କୁ କରୋନା

0 68

ଇସଲାମାବାଦ, ୨୦ ।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ (୬୭) କରୋନାରେ ସଂକ୍ରମିତ । ଇମ୍ରାନ୍ ଖାନଙ୍କ ଡାକ୍ତର ଫୈଜଲ ସୁଲତାନ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୧୯ରେ ଇମ୍ରାନ କୋଭିଡର ପ୍ରଥମ ଡୋଜ ଟିକା ନେଇଥିଲେ । ଏହାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କୋଭିଡ ନିୟମ ଅନୁଯାୟୀ ସେ ଏବେ ସଙ୍ଗରୋଧରେ ଅଛନ୍ତି । ପାକିସ୍ତାନରେ ଏବେ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ସ୍ୱାସ୍ଥ୍ୟକର୍ମୀ ଟିକା ନେଉଛନ୍ତି । ଇମ୍ରାନଙ୍କ ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ଚାଇନା ଦ୍ୱାରା ପ୍ରସ୍ତୁତ “ସିନୋଫର୍ମ’ ଟିକା ନେଇଥିଲେ । ସୁଲତାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ବୁଧବାର ପାକିସ୍ତାନ ଚାଇନାର ଏହି ଟିକାଗ୍ରହଣ କରିଥିଲା । ଏହାପରେ ପାକିସ୍ତାନରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ରାୱଲପିଣ୍ଡିର ନୁର ଖାନ ଏୟାରବେସରେ ସିନୋଫାର୍ମ ଟିକା ପାକିସ୍ତାନ ଗ୍ରହଣ କରିଥିଲା । ଏଯାବତ ଚାଇନା ଦୁଇଟି ପର୍ଯ୍ୟାୟରେ ଚାଇନାକୁ ଟିକା ପଠାଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ ପାକିସ୍ତାନରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି । ଗତ ବର୍ଷ ଜୁଲାଇ ୨ରେ ପାକିସ୍ତାନରେ ୪,୪୩୨ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୩,୮୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଦୀର୍ଘଦିନର ବ୍ୟବଧାନରେ ଏତେ ସଂଖ୍ୟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.