ଅକ୍ସଫୋର୍ଡ ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

0 71

ଲଣ୍ଡନ, ୨୦ ।୩: ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବିତର୍କ ଚାଲିଥିବା ବେଳେ ଏହାର ପ୍ରଥମ ଡୋଜ୍ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନେଇଛନ୍ତି । ଆଷ୍ଟ୍ରାଜେନେକା ଟିକା ନେଲେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏଥିପାଇଁ ଏକାଧିକ ୟୁରୋପୀୟ ରାଷ୍ଟ୍ର ଏହାର ବ୍ୟବହାର ଉପରେ କିଛିଦିନ ରୋକ ଲଗାଇଥିଲେ । ତେବେ ୟୁରୋପିଆନ ମେଡିସିନ ରେଗୁଲେଟର ଅକ୍ସଫୋର୍ଡ ଟିକାକୁ ସୁରକ୍ଷିତ ବୋଲି କହିବା ପରେ ବିଭିନ୍ନ ରାଷ୍ଟ୍ର ପୁଣି ଟିକାକରଣ ଆରମ୍ଭ କରିବେ ବୋଲି କହିଛନ୍ତି । ପୂର୍ବରୁ ହିଁ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ସୁରକ୍ଷିତ ବୋଲି କହି ସାରିଥିଲା । ଏବେ ଏହାକୁ ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଟିକା ନେବା ପରେ ସେ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି । ସେହିପରି ଟିକା ନେଇ କୌଣସି ପ୍ରକାରର ଅସୁସ୍ଥତା ଅନୁଭବ କରୁ ନଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ବର୍ଷକ ତଳେ ଜନସନ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଯେଉଁ ହସ୍ପିଟାଲର ଆଇସିୟୁରେ ରଖାଯାଇଥିଲା ଓ ଟ୍ୟୁବ ଦ୍ୱାରା ନାକ ବାଟେ ଅମ୍ଳଜାନ ଦିଆଯାଇଥିଲା, ସେହି ହସ୍ପିଟାଲରେ ଜଣେ ନର୍ସ ତାଙ୍କୁ ଟିକାର ପ୍ରଥମ ଡୋଜ୍ ଦେଇଛନ୍ତି । ମୁହଁରେ କଳା ମାସ୍କ ଓ ଶାର୍ଟ ପିନ୍ଧି ଜନସନ ଟିକା ନେଉଥିବା ଫଟୋ ସାମ୍ନାକୁ ଆସିଛି । ଲଣ୍ଡନରେ ଥିବା ସେଣ୍ଟ ଥୋମାସ ହସ୍ପିଟାଲରେ ଟିକା ନେବା ପରେ ସେ କହିଛନ୍ତି, ସତ କହିବାକୁ ଗଲେ, ଟିକା ନେବା ପରେ ମୁଁ କୌଣସି ପ୍ରକାରର ଅସହଜ ମନେ କରୁନାହିଁ । ଏହା ଅତ୍ୟନ୍ତ ଭଲ ଓ ବହୁତ ଶୀଘ୍ର ହୋଇଯାଉଛି । ଟିକା ପାଇଁ ଯୋଗ୍ୟ ବିବେଚିତ ହେବା କ୍ଷଣି ଲୋକମାନେ ଏହାର ଡୋଜ୍ ନିଅନ୍ତୁ । ଏହା ସମସ୍ତଙ୍କ ପାଇଁ ଗୋଟିଏ ଭଲ ଜିନିଷ । ପରିବାର ଓ ସମାଜ ପାଇଁ ମଧ୍ୟ ଏହା ଶୁଭଙ୍କର ସାବ୍ୟସ୍ତ ହେବ । ଶୁକ୍ରବାର ଟିକାକରଣରେ ବ୍ରିଟେନ ରେକର୍ଡ କରିଛି । ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇ ଶୁକ୍ରବାର ରେକର୍ଡ ସଂଖ୍ୟକ ଲୋକଙ୍କୁ ଏହାର ଡୋଜ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.