୫ ବର୍ଷରେ ଅନେକ ବିଧାୟକଙ୍କ ସଂପତ୍ତିରେ ଆକାଶଛୁଅଁ ବୃଦ୍ଧି

0 83

କୋଲକାତା, ୨୦ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏହାପୂର୍ବରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଏବେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୩୦ଟି ଆସନରୁ ପ୍ରାର୍ଥୀ ହୋଇଥିବା କିଛି ବିଧାୟକଙ୍କ ସମ୍ପତ୍ତିର ତଥ୍ୟ ସାମ୍ନାକୁ ଆସିଛି । ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟିଏମସିର ଜଣେ ବିଧାୟକଙ୍କ ସମ୍ପତ୍ତି ୫ ବର୍ଷରେ ପ୍ରାୟ ୧୯୮୫% ବୃଦ୍ଧି ପାଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଟିଏମସିର ବିଧାୟକ ତଥା ପୁଣି ଦଳରୁ ପ୍ରାର୍ଥୀ ହୋଇଥିବା ଜ୍ୟୋତ୍ସ୍ନା ମଣ୍ଡି ଦାଖଲ କରିଥିବା ସତ୍ୟପାଠକୁ ଦେଖିଲେ, ତାଙ୍କ ସମ୍ପତ୍ତି ୫ ବର୍ଷ ମଧ୍ୟରେ ୧୯୮୫.୬୮% ବୃଦ୍ଧି ପାଇଥିବା ସ୍ପଷ୍ଟ ଜଣାପଡ଼ୁଛି । ଜ୍ୟୋତ୍ସ୍ନା ଟିଏମ୍ସି ଟିକେଟରୁ ବଙ୍କୁର ଜିଲ୍ଲା ରାଣୀବନ୍ଧ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୬ରେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପାଖରେ ୧,୯୬,୬୩୩ ଟଙ୍କାର ସମ୍ପତ୍ତି ଥିବା ସୂଚନା ଦେଇଥିଲେ । ୨୦୨୧ ସତ୍ୟପାଠରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪୧,୦୧,୧୪୪ ରହିଛି । ଏହାର ଅର୍ଥ ୫ ବର୍ଷରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୯,୦୪,୫୧୧ ଟଙ୍କା ବଢ଼ିଛି । କେବଳ ଜ୍ୟୋତ୍ସ୍ନାଙ୍କର ନୁହେଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିବାକୁ ଥିବା ଅନେକ ପ୍ରାର୍ଥୀଙ୍କ ସମ୍ପତ୍ତିରେ ଆଖି ଖସିଗଲା ଭଳି ବୃଦ୍ଧି ଘଟିଛି । ୨୦୧୬ରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ି ପୁରୁଲିଆରୁ ବିଜୟୀ ହୋଇଥିବା ସୁଦୀପ କୁମାର ମୁଖାର୍ଜୀ ଏଥର ବିଜେପିରେ ମିଶିଛନ୍ତି । ବିଜେପି ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଛି । ୫ ବର୍ଷ ବିଧାୟକ ରହିବା ଭିତରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୨୮୮.୮୬% ବୃଦ୍ଧି ଘଟିଛି । ୫ ବର୍ଷ ତଳେ ତାଙ୍କ ପାଖରେ ୧୧,୫୭,୯୪୫ ଟଙ୍କାର ସମ୍ପତ୍ତି ଥିବା ସେ ସତ୍ୟପାଠ ଜରିଆରେ କହିଥିଲେ । ହେଲେ ଏବେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪୫,୦୨,୭୮୨ ଟଙ୍କା ହୋଇଯାଇଛି । କେଶିୟାରି ବିଧାନସଭାର କାର୍ଯ୍ୟରତ ଟିଏମସି ବିଧାୟକ ପରେଶ ମୁର୍ମୁଙ୍କ ସମ୍ପତ୍ତି ୨୪୬.୩୪% ବଢ଼ିଛି । ୨୦୧୬ରେ ତାଙ୍କ ପାଖରେ ୧୧,୫୭,୯୨୬ ଟଙ୍କାର ସମ୍ପତ୍ତି ରହିଥିଲା । ଏବେ ତାଙ୍କ ପାଖରେ ୪୦,୧୦,୩୨୯ ଟଙ୍କାର ସମ୍ପତ୍ତି ରହିଛି । ଅନ୍ୟପକ୍ଷରେ ଏକାଧିକ ବିଧାୟକଙ୍କ ସମ୍ପତ୍ତି ମଧ୍ୟ ୨୦୧୬ ତୁଳନାରେ ହ୍ରାସ ପାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଟିଏମସିର ଜୟନଗର ବିଧାୟକ ବିଶ୍ୱନାଥ ଦାସ । ୨୦୧୬ ନିର୍ବାଚନରେ ତାଙ୍କ ପାଖରେ ୪୬,୮୫,୫୨୩ ଟଙ୍କାର ସମ୍ପତ୍ତି ଥିବା ସେ ସତ୍ୟପାଠ ଜରିଆରେ ଦର୍ଶାଇଥିଲେ । ହେଲେ ଏହାର ପରିମାଣ ୧୪,୪୧,୨୦୦ ଟଙ୍କାକୁ ଖସି ଆସିଛି । ଅର୍ଥାତ ବିଶ୍ୱନାଥଙ୍କ ସମ୍ପତ୍ତିରେ ୬୯.୨୭% ହ୍ରାସ ଘଟିଛି । ସେହିପରି ଟିଏମସି ବିଧାୟକ ସନ୍ଧ୍ୟାରାଣୀ ଟୁଡୁଙ୍କ ସମ୍ପତ୍ତିରେ ୬୦.୨୦% ହ୍ରାସ ଘଟିଛି । ସୂଚନାଯୋଗ୍ୟ ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟିଂ ହେବ । ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇ ଏହି ପ୍ରକ୍ରିୟା ଏପ୍ରିଲ ୨୯ ଯାଏ ଚାଲିବ ।

Leave A Reply

Your email address will not be published.