କରୋନା କଟକଣା ପ୍ରଥମେ ରାଜନେତା ମାନନ୍ତୁ

0 51

ସମଗ୍ର ଦେଶରେ କରୋନା ସଂକ୍ରମଣ କ୍ରମଶଃ କାୟା ମେଲାଇ ଚାଲିଛି । ମହାରାଷ୍ଟ୍ର ଭଳି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ଖାଲି ମହାରାଷ୍ଟ୍ର ନୁହେଁ କେରଳ, ପଞ୍ଜାବ, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ ଆଦି ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ଆଗକୁ ଚେକିଂ ଓ ଚଢ଼ାଉ ଜୋର୍ଦାର ହେବ ବୋଲି ଏସ୍ଆର୍ସି ପ୍ରଦୀପ ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏପରିକି ହୋଲି ଏବଂ ଦୋଳ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ମାତ୍ର ଏଭଳି ସ୍ଥଳେ ରାଜନୈତିକ ବ୍ୟକ୍ତିବିଶେଷମାନେ ବହୁତ ବେପର୍ରୁଆ ହୋଇପଡ଼ୁଛନ୍ତି । ସାଧାରଣ ଜନତା ଏହି ରାଜନେତାଙ୍କ ପଦାଙ୍କ ଅନୁସରଣ କରୁଥିବାବେଳେ ଏମାନଙ୍କ ଖୋଲାଖୋଲି ଉଲ୍ଲଂଘନ ଲୋକଙ୍କ ଉପରେ ପ୍ରଭାବ ପଡ଼ୁଛି । ଏହି ରାଜନୈତିକ ଦଳମାନେ କରୋନା ଗାଇଡ୍ଲାଇନ୍କୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାରୁ ସରକାରୀ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ ହୋଇପାରୁ ନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଦେଶରେ କରୋନା ସଂକ୍ରମଣ ୪୦ ହଜାର ପାର୍ କରିଥିବାବେଳେ ଆମ ରାଜ୍ୟରେ କଟକ ଏବେ ହଟ୍ସ୍ପଟ୍ ପାଲଟିଛି । ଏହାକୁ ଆଖିଆଗରେ ରଖି ମାସ୍କ, ସାନିଟାଇଜର ଏବଂ ସୋସିଆଲ୍ ଡିଷ୍ଟାନ୍ସ ରକ୍ଷା କରିବା ଲାଗି ସରକାରଙ୍କ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଉଛି । ଏପରିସ୍ଥଳେ ସମସ୍ତେ ସଂଯମତା ଏବଂ କୋଭିଡ୍ ଗାଇଡ୍ଲାଇନ୍କୁ ପାଳନ କରିବା ଲାଗି ବାରମ୍ବାର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି । ମାତ୍ର କେତେକ ରାଜନୈତିକ ଦଳ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ବେଶି ଦେଖାଦେଇଛି । ବିଧାନସଭା ପରିସର ନିକଟରୁ ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ବିଜେପିର ପ୍ରତିନିଧି ଦଳ ଏବଂ ସେମାନଙ୍କୁ ବାଟ କଢ଼େଇ ନେଇଥିବା ବିଜେଡିର ନେତା ଓ ମନ୍ତ୍ରୀମାନଙ୍କ ମଧ୍ୟରୁ ପ୍ରାୟ କୋଭିଡ୍ କଟକଣା ମାନୁନଥିବା ଗଣମାଧ୍ୟମରେ ଦେଖିବାକୁ ମିଳିଛି । ସେହିଭଳି ବିଧାନସଭା ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିବା କଂଗ୍ରେସର ନେତାମାନେ ମଧ୍ୟ ସାମାଜିକ ଦୂରତା ମାନୁନଥିବା ଦେଖାଯାଇଥିଲା । ଏହି ୩ ପ୍ରମୁଖ ରାଜନୈତିକ ଦଳର ଅନେକ ନେତା ରାଜନୈତିକ କାର୍ଯ୍ୟକ୍ରମ ବେଳେ ମାସ୍କ ମଧ୍ୟ ବ୍ୟବହାର କରୁନାହାନ୍ତି । ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ସର୍ବସମ୍ମୁଖରେ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଖୋଲାଖୋଲି ଭାବେ କରୋନା କଟକଣାକୁ ଉଲ୍ଲଂଘନ କରିଥିଲେ । ଅତୀତରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ ସାଧାରଣ ଲୋକଟି ମାସ୍କ ନପିନ୍ଧିଲେ କିମ୍ବା ସାମାନ୍ୟ କଟକଣା ଉଲ୍ଲଂଘନ କଲେ ପୋଲିସ ସେମାନଙ୍କୁ ନିର୍ଘାତ ପ୍ରହାର କରିବା ସହ ଜରିମାନା ମଧ୍ୟ ଆଦାୟ କରୁଥିଲା । କିନ୍ତୁ ରାଜନେତାଙ୍କ କ୍ଷେତ୍ରରେ ପ୍ରଶାସନ ପୂରା ଚୁପ୍ ରହୁଛି । ଏଭଳି ହେଲେ କରୋନା ଯେ ପୁଣି ମାଡ଼ିଆସିବ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.