ନୈନିତାଲ ଜଙ୍ଗଲରେ ନିଆଁ: ବିପଦରେ ଜୀବଜନ୍ତୁ

0 64

ନୈନିତାଲ, ୨୧ ।୩: ଦିନେ ପୂର୍ବରୁ ଉତ୍ତରାଖଣ୍ଡ ସରକାର ରାଜ୍ୟର ଜଙ୍ଗଲଗୁଡିକୁ ନିଆଁରୁ ରକ୍ଷା କରିବାକୁ ୧୦ ହାଜର ବନ ରକ୍ଷକ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ସରକାର ସବୁ ବ୍ୟବସ୍ଥା କରିବାକୁ ଚାହୁଁଥିଲେ । କିନ୍ତୁ ନୈନିତାଲ ବନ ବିଭାଗ କୋସି ରେଞ୍ଜ ଜଙ୍ଗଲରେ ନିଆଁ ଲାଗିଛି । ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଜଙ୍ଗଲରେ ନିଆଁ ଲାଗିଛି । କିନ୍ତୁ ଅଭିଯୋଗ ପରେ ବି ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିନି । ନିଆଁ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ବନ ସମ୍ପଦ ପୋଡି ପାଉଁଶ ହୋଇଯାଇଛି । ବନ୍ୟ ଜୀବଜନ୍ତୁଙ୍କ ଉପରେ ମଧ୍ୟ ସଙ୍କଟ ଘନେଇ ଆସୁଛି । ତଥାପି ବନ ବିଭାଗ ନିଆଁ ଲିଭାଇବାକୁ କୌଣସି ପଦକ୍ଷେପ ନେଉନାହିଁ । ରାଜ୍ୟର ଗରୱାଲ ଏବଂ କୁମାଓନ୍ ଡିଭିଜନର ଜଙ୍ଗଲରେ ପୁଣିଥରେ ନିଆଁ ଲାଗିଛି । ଜଙ୍ଗଲରେ ଲାଗିଥିବା ନିଆଁ ବିକଟାଳ ରୂପ ନେଉଛି । ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲ ସମ୍ପଦ ଏବଂ ବନ୍ୟଜନ୍ତୁ ନଷ୍ଟ ହେଉଥିବାବେଳେ ମଣିଷଙ୍କ ପ୍ରତି ମଧ୍ୟ ବିପଦ ରହିଛି । ଜଙ୍ଗଲ ବିଭାଗ ରିପୋର୍ଟ ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗି ୪ ଜଣ ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ଏବେ ସୁଦ୍ଧା ଜଙ୍ଗଲରେ୬୫୭ ଅଗ୍ନିକାଣ୍ଡରଘଟଣା ସତ୍ତ୍ୱେ ବନ ବିଭାଗ କିମ୍ୱା ସରକାର ଏପର୍ଯ୍ୟନ୍ତ ସଚେତନ ହୋଇନାହାଁନ୍ତି । ସୂଚନାନୁସାରେ, ଚଳିତ ବର୍ଷ ୮୧୪ ହେକ୍ଟର ଅଞ୍ଚଳରେ ବ୍ୟାପିଥିବା ବନ ସମ୍ପଦ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛି । ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ୩୯ ହେକ୍ଟର ଅଞ୍ଚଳରେ ନିକଟରେ ବୃକ୍ଷରୋପଣ କରାଯାଇଥିଲା । ଜଙ୍ଗଲରେ ନିଆଁ ଲାଗିବା ହେତୁ ତେବେ ଚଳିତ ବର୍ଷ ୨୮ ଲକ୍ଷ ଟଙ୍କା କ୍ଷତି ହୋଇଛି । ଗରୱାଲ ଡିଭିଜନର ସର୍ବାଧିକ କ୍ଷତି ହୋଇଛି । ଏହି ଅଞ୍ଚଳରେ ୨୩୨ ଟି ଅଗ୍ନିକାଣ୍ଡ ଘଟିଥିବାବେଳେ କୁମାଓନ୍ ଅଞ୍ଚଳରେ ଏପର୍ଯ୍ୟନ୍ତ ୧୫୨ ଅଗ୍ନିକାଣ୍ଡ ଘଟିଥିବାର ରେକର୍ଡ କରାଯାଇଛି । ଜଙ୍ଗଲରେ ନିଆଁ ଲାଗିବା ହେତୁ ସଂରକ୍ଷିତ ବନ୍ୟଜନ୍ତୁଙ୍କ କ୍ଷତି ହୋଇଥିବା ଜଣାପଡିଛି । ବନ ବିଭାଗର ରିପୋର୍ଟ ଅନୁଯାୟୀ, ସଂରକ୍ଷିତ ଅଭୟାରଣ୍ୟରେ ଏପର୍ଯ୍ୟନ୍ତ ୯ ଟି ଅଗ୍ନିକାଣ୍ଡ ଘଟିଛି । ଯଦି ରାଜ୍ୟ ସରକାର ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ଶୀଘ୍ର ରୋକିବାକୁ ଚେଷ୍ଟା ନ କରନ୍ତି ତାହେଲେ ସବୁଜିମାରେ ଭରା ଉତ୍ତରାଖଣ୍ଡରେ ବିପଦ ମୁଣ୍ଡ ଟେକିପାରେ ।

Leave A Reply

Your email address will not be published.