ପାକିସ୍ତାନରେ ହିନ୍ଦୁ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

0 70

ଇସଲାମାବାଦ, ୨୧ ।୩: ସେଲୁନରେ ଚୁଟି କାଟୁଥିବା ସମୟରେ ଜଣେ ସାମ୍ବାଦିକଙ୍କୁ ଗୁଳିମାଡ ହୋଇଛି । କାର୍ରେ ତିନିଜଣ ଦୁର୍ବୃତ୍ତ ଆସି ଦୋକାନ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଫଳରେ ଘଟଣାସ୍ଥଳରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ପାକିସ୍ତାନର ସିନ୍ଧ ଅଞ୍ଚଳରେ । ଥମୁନି ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର । ସେଠାକାର ଜଣେ ହିନ୍ଦୁ ସାମ୍ବାଦିକ ଅଜୟ ଲାଲବାନୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ ଶନିବାର ଦିନ ୩୧ ବର୍ଷୀୟ ଅଜୟ ଲାଲବାନୀ ସକ୍କୁର ସହରରେ ଥିବା ଏକ ସେଲୁନକୁ ଚୁଟି କାଟିବା ପାଇଁ ଯାଇଥିଲେ । ଏତିକି ବେଳେ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ । ପରେ ସାମ୍ବାଦିକ ଅଜୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ପେଟ, ମୁଣ୍ଡ ଏବଂ ହାତରେ ଗୁଳି ବାଜି ଥିବା ଯୋଗୁଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ରିପୋର୍ଟ ମୁତାବକ ଅଜୟ ଲାଲବାନୀ ପାକିସ୍ତାନର ଏକ ସ୍ଥାନୀୟ ଚ୍ୟାନେଲ ଏବଂ ଉର୍ଦ୍ଦୁ ଖବର କାଗଜ “ଡେଲି ପୁଚାନୋ’ରେ ସାମ୍ବାଦିକ ଥିଲେ । ଏହି ମାମଲରେ ଅଜୟ ଲାଲବାନୀଙ୍କ ବାପା ଦିଲୀପ କୁମାର କହିଛନ୍ତି ଯେ, ତାଙ୍କ ପରିବାରର କାହା ସହ ଶତ୍ରୁତା ନଥିଲା । କିନ୍ତୁ ସେଠାକାର ସ୍ଥାନୀୟ ପୁଲିସ ତାଙ୍କର ଏହି ଦାବିକୁ ଖଣ୍ଡନ କରିଛି । ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା କହିଛି । ଏହି ଘଟଣା ପରେ ପୁଲିସ ତିନି ଜଣ ଅଜ୍ଞାତ ଅପରାଧିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ହିନ୍ଦୁ ସାମ୍ବାଦିକଙ୍କ ଜଣଙ୍କୁ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ହିନ୍ଦୁ ସାମ୍ବାଦିକ ଅଜୟଙ୍କ ହତ୍ୟାକୁ ନେଇ ପାକିସ୍ତାନର ନ୍ୟାସନାଲ ଆସେମ୍ଲିରେ ନିନ୍ଦା କରାଯାଇଛି । ସେଠାକାର ହିନ୍ଦୁ ବିଧାୟକ ଲାଲଚନ୍ଦ ମଲ୍ହି କହିଛନ୍ତି, ଏହା ବେଶ୍ ଚିନ୍ତାଜନକ ଘଟଣା । ସାମ୍ବାଦିକ ସଙ୍ଗଠନ ମଧ୍ୟ ଲାଲବାନୀଙ୍କ ହତ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିଛି ।

Leave A Reply

Your email address will not be published.