ପୁଣି ଫେରିପାରେ ଲକ୍ଡାଉନ୍

0 63

ଲକ୍ଡାଉନ୍ର ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ କରୋନା ମହାମାରୀର ଲେଉଟାଣି ପୁଣିଥରେ ଚିନ୍ତା ବଢ଼ାଇଛି । ସତେଯେପରି ଏହି ମହାମାରୀ ଏପରି ଫଁ ଦେଖାଉଛି ଯେ ଯଦି ତାହା ଅବ୍ୟାହତି ରହେ ତେବେ ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଓ କଣ୍ଟେନ୍ମେଣ୍ଟ ଆଦି କଟକଣା ଲାଗୁ ହୋଇପାରେ । ଏପରିକି କେତେକ ବିଶେଷଜ୍ଞ ଦ୍ୱିତୀୟ ଲହର ଆସିଯାଇଛି ବୋଲି ଖୋଲାଖୋଲି ଭାବେ କହିସାରିଲେଣି । ଏହି ଆଶଙ୍କାକୁ ଆଖିଆଗରେ ରଖି ସରକାର ଏବଂ ବିଶେଷଜ୍ଞମାନେ ଲୋକଙ୍କୁ ସତର୍କ ହେବା ପାଇଁ ବାରମ୍ବାର ଚେତାଉଥିଲେ ମଧ୍ୟ ଲୋକେ କିନ୍ତୁ ଏହାକୁ ମାନୁନାହାନ୍ତି । ହାଟ ବଜାରରୁ ଆରମ୍ଭ କରି ବାହାଘର ଓ ରାଜନୈତକ ସଭାସମିତି ପର୍ଯ୍ୟନ୍ତ ଯେମିତି ଜନଗହଳି ଦେଖାଯାଉଛି ତାହା ଉଦ୍ବେଗର କାରଣ ହୋଇଛି । ଆମ ରାଜ୍ୟରେ ୨୧ ମାର୍ଚ୍ଚ ୨୦୨୦ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲକ୍ଡାଉନ୍ ଲାଗୁ କରିଥିଲା । ସପ୍ତାହେବ୍ୟାପୀ ଅର୍ଥାତ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ୫ ଜିଲ୍ଲା ଓ ୮ ସହର ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଥିଲା । ଲକ୍ଡାଉନ୍ ଘୋଷଣା କରିବାରେ ଦେଶର ପ୍ରଥମ ରାଜ୍ୟ ଥିଲା ଓଡ଼ିଶା । ପରେ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରେ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିଥିଲେ । ସେତେବେଳେ ଆମ ରାଜ୍ୟରେ ମାତ୍ର ୨ଜଣ ସଂକ୍ରମିତ ଥିବାବେଳେ ଦେଶରେ ୫୩୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଦେଶରେ ମୃତ୍ୟୁସଂଖ୍ୟା ୧୦ରେ ସୀମିତ ଥିଲା । ମାତ୍ର ବର୍ଷକ ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୫ଲକ୍ଷ ୫୫ହଜାର ୨୮୪ରୁ ଅଧିକ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୦ହଜାର ରେକର୍ଡ ହେଲାଣି । ସେହିପରି ଓଡ଼ିଶାରେ ୩ଲକ୍ଷ ୩୮ହଜାର ୭୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୯୧୯ରେ ପହଞ୍ôଚଛି । ଏବେ ରାଜ୍ୟରେ ପାଖାପାଖି ୮୦୦ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଲକ୍ଡାଉନ୍ ଯୋଗୁଁ ବିମାନ ଓ ରେଳ ଚଳାଚଳ ବନ୍ଦ ରହିଥିଲା । ଏହି ସମୟରେ କାମଧନ୍ଦା ପାଇଁ ବାହାରକୁ ଯାଇଥିବା ପ୍ରବାସୀ ଓଡ଼ିଆଙ୍କ ଦୁର୍ଦ୍ଦଶା ବଢ଼ିଯାଇଥିଲା । ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଦୋକାନ ବଜାର ସବୁ ବନ୍ଦ ରହିଥିଲା । ଏବେ ସବୁ ଧିରେ ଧିରେ କୋହଳ ହେବା ଆରମ୍ଭ ହେବା ପରେ ପୁଣି କରୋନା ତା’ର କାୟା ମେଲାଇଛି । ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ ଆଦି ଅନେକ ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଲାଣି । ବିଶେଷକରି ମହାରାଷ୍ଟ୍ର, ଗୁଜୁରାଟ ପ୍ରମୁଖ ଅଞ୍ଚଳରେ ଏହି ମହାମାରୀ ସଂକଟ ସୃଷ୍ଟି କଲାଣି । ଆଜି ରାଜସ୍ଥାନରେ ୮ଟି ସହରରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଆମ ରାଜ୍ୟ ଓଡ଼ିଶାରେ କଟକ ଏବେ ହଟ୍ସ୍ପଟ ପାଲଟିଛି । ଆଜି ଖୋର୍ଦ୍ଧା ଜିଲ୍ଲାର ଜଣେ ନାବାଳକର ଜୀବନ ନେଇଛି ଏହି ମହାମାରୀ । ଗତବର୍ଷ ଏପ୍ରିଲ୍ରୁ ଜୁନ୍ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କଡ଼ା କଟକଣା ଲାଗୁ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ତେଣୁ ଏବେଠାରୁ ଆମେମାନେ ଯଦି କଟକଣାକୁ ନମାନିବା ତେବେ ଭୟଙ୍କର ବିପଦକୁ ଡାକିଆଣିବା ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.