ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ

0 67

ମୁମ୍ବାଇ, ୨୨ ।୩: ମୁମ୍ବାଇ ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱର । ପୂର୍ବରୁ ପରମବୀରଙ୍କ ଅଭିଯୋଗ ସଂଗୀନ ଓ ଏହାର ତଦନ୍ତ ହେବା ଉଚିତ ବୋଲି କହିଥିବା ଶ୍ରୀ ପାୱାର ଆଜି ଏପରି ବୟାନ ଦେଇଛନ୍ତି । ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ କାର ମିଳିବା ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ଏପରି ଅଭିଯୋଗ ଆଣିଥିବା ପାୱାର କହିଛନ୍ତି । ସେ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆତଙ୍କବାଦ ନିରୋଧ ସ୍କ୍ୱାଡର ଗିରଫଦାରୀ ପରେ ମୁନସୁଖ ହିରେନଙ୍କୁ କିଏ ମାରିଛି, ତା’ହା ବି ସ୍ପଷ୍ଟ ହୋଇଯାଇଛି । ତଦନ୍ତ ବେଳେ ଜଣାପଡ଼ିବ ଯେ ଗିରଫ ଦୁଇଜଣ କାହିଁକି ମନସୁଖଙ୍କୁ ମାରିଛନ୍ତି । ମୁମ୍ବାଇ ଏଟିଏସର ତଦନ୍ତ ଠିକ୍ ଦିଗରେ ଚାଲିଛି । ଏବେ କେବଳ ମୁଖ୍ୟ ପ୍ରସଙ୍ଗଗୁଡ଼ିକରୁ ଲୋକଙ୍କୁ ବାଟବଣା କରିବା ପାଇଁ ପରମବୀର ସିଂହ ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ସେହିପରି ଅନୀଲ ଦେଶମୁଖଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ମଧ୍ୟ ଶ୍ରୀ ପାୱାର ସ୍ପଷ୍ଟ କରିଛନ୍ତି । ନିଲମ୍ବିତ ପୁଲିସ୍ ଅଧିକାରୀ ସଚିନ ବାଜେଙ୍କୁ ଯେଉଁ ସମୟରେ ଶ୍ରୀ ଦେଶମୁଖ ଭେଟି ୧୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବାକୁ କହିଥିବା ଦାବି କରାଯାଉଛି, ସେହି ସମୟରେ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫେବୃଆରୀ ୫ରୁ ୨୭ ଯାଏ ଦେଶମୁଖ ପ୍ରଥମେ ହସ୍ପିଟାଲରେ ଓ ପରେ ନାଗପୁର ସ୍ଥିତ ଘରେ ବିଶ୍ରାମ ନେଇଥିଲେ । ତେଣୁ ଏଭଳି ସ୍ଥିତିରେ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ଶରଦ ପାୱାର କହିଛନ୍ତି । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷାରେ ଅବହେଳା ଓ ମନସୁଖ ମୃତ୍ୟୁ ମାମଲାକୁ ନେଇ ମୁମ୍ବାଇ ପୁଲିସ୍ କମିଶନର ପରମବୀର ସିଂହ ବ୍ୟାକଫୁଟରେ ଥିଲେ । ଏଥିପାଇଁ ତାଙ୍କୁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୁଲିସ୍ କମିଶନର ପଦରୁ ହଟାଇ ରାଜ୍ୟ ହୋମଗାର୍ଡ ଡିଜି କରିଥିଲେ । ହେଲେ ଶନିବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଗୋଟିଏ ଚିଠି ଲେଖିଥିଲେ । ଏଥିରେ ଅନୀଲ ଦେଶମୁଖ ବାରମ୍ବାର ସଚିନ ବାଜେଙ୍କୁ ତାଙ୍କ ଆବାସିକ ଅଫିସକୁ ଡାକୁଥିଲେ ଓ ମାସିକ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଚିଠି ସାମ୍ନାକୁ ଆସିବା ପରେ ରାଜ୍ୟରେ କ୍ଷମତାସୀନ ଶିବସେନା-ଏନସିପି ଓ କଂଗ୍ରେସର ମେଣ୍ଟ ସରକାରରେ ଅସ୍ଥିରତା ଦେଖିବାକୁ ମିଳିଛି । ବିରୋଧୀ ବିଜେପି ଏହି ଗୋଳିଆ ପାଣିରୁ ଫାଇଦା ହାସଲ କରି ରାଜ୍ୟ ଓ ସଂସଦରେ ହୋହାଲ୍ଲା ଆରମ୍ଭ କରିଛି । ଦେଶମୁଖଙ୍କ ଇସ୍ତଫା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମଧ୍ୟ ବିଜେପି ନେତାମାନେ ଦାବି କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.