ପରମବୀର-ଅନୀଲ ଦେଶମୁଖଙ୍କ କଳି ଏବେ ସୁପ୍ରିମକୋର୍ଟରେ

0 66

ନୂଆଦିଲ୍ଲୀ, ୨୨ ।୩: ତେଜିଲା ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଓ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ମଧ୍ୟରେ କଳି । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପରମବୀର ସେ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ଦାବି କରିଛନ୍ତି । ଏମିତିକି ଏହି ମାମଲାର ତଦନ୍ତ ସିବିଆଇ କରିବା ଦରକାର ବୋଲି ସେ କୋର୍ଟରେ ଆବେଦନ ବେଳେ କହିଛନ୍ତି । ଆଇନଜୀବୀ ରଶ୍ମୀ ଶୁକ୍ଳାଙ୍କ ଦ୍ୱାରା ସେ ତାଙ୍କ ଆବେଦନ କୋର୍ଟରେ କରିଛନ୍ତି । ପରମବୀର ଉଲ୍ଲେଖ କରିଛନ୍ତି, ତାଙ୍କୁ ପୁଲିସ କମିଶନର ପଦବୀରୁ ହୋମଗାର୍ଡ ଡିଜିକୁ ବଦଳି କରାଯାଇଛି । ହେଲେ ବଦଳିର କାରଣ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଯାହା କହିଛନ୍ତି ତାର ସତ୍ୟତା କିଛି ନାହିଁ । ଏଥିପାଇଁ ତାଙ୍କ ବଦଳି ଉପରେ ରୋକ୍ ଲଗାଯିବା ଦରକାର । ସେହିପରି ଅନୀଲ ଦେଶମୁଖଙ୍କ ଘରେ ଥିବା ସିସିଟିଭି ଫୁଟେଜକୁ ଜବତ କରିବାକୁ ସେ ଦାବି କରିଛନ୍ତି । ନହେଲେ ସେ ଲଗାଇଥିବା ପ୍ରମାଣ ନଷ୍ଟ ହୋଇଯିବ ବୋଲି କହିଛନ୍ତି । ଏହି ଆବେଦନ ତାଲିକାଭୁକ୍ତ ହେବା ପରେ ପରମବୀର ସିଂହଙ୍କ ପାଇଁ ମୁକୁଲ ରୋହତଗୀ କୋର୍ଟରେ ପକ୍ଷ ରଖିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ପରମବୀର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅସତ୍ୟ । କୌଣସି ପ୍ରମାଣ ନାହିଁ । ବଦଳି ହେବାରୁ ଏଭଳି ଚିଠି ଲେଖି ନିଜ ଉପରେ ଆସିଥିବା ଅଭିଯୋଗରୁ ବର୍ତ୍ତିବାକୁ ପରମବୀର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ସେ ଏବେ ପରମବୀରଙ୍କ ବିରୋଧରେ ମାନହାନୀ ଅଭିଯୋଗ କରିବେ ବୋଲି କହିଛନ୍ତି । ସେହିପରି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଫେବୃଆରୀ ମାସରେ କରୋନା ପାଇଁ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଫେବୃଆରୀ ୧୫ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଫେବୃଆରୀ ୧୫ ରୁ ୨୭ ପର୍ଯ୍ୟନ୍ତ ନାଗପୁରରେ ଥିଲେ । ବାଜେ ଓ ଦେଶମୁଖଙ୍କ ଭେଟଘାଟ ତାରିଖ ପରମବୀର ତାଙ୍କ ଚିଠିରେ ଯାହା ଉଲ୍ଲେଖ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ଅର୍ଥାତ୍ ବାଜେ ଦେଶମୁଖଙ୍କୁ ଭେଟିଥିଲେ ଏହି ଦାବି ମିଛ । ପ୍ରସଙ୍ଗଗୁଡ଼ିକରୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ପରମବୀର ଏହି ଚିଠି କରିଛନ୍ତି ।

Leave A Reply

Your email address will not be published.