ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର୍

0 69

ଆମେରିକା ଭାରତକୁ ୨୦୦ ବର୍ଷ ଧରି ଶାସନ କରିଥିଲା

ଡେରାଡୁନ, ୨୨ ।୩: ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାରେ ବିଜେପି ନେତା ତଥା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ । ଫଟା ଜିନ୍ସ ମନ୍ତବ୍ୟ ପାଇଁ କ୍ଷମା ମାଗିବା ପରେ ଏବେ କହିଛନ୍ତି ଆମେରିକା ଭାରତକୁ ୨୦୦ ବର୍ଷ ଧରି ଶାସନ କରିଛି । ଯାହାକୁ ନେଇ ଏହି ନୂଆ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୋଶାଲ ମିଡିଆ ଯୁଜର । ଉତ୍ତରାଖଣ୍ଡର ରାମନଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ତିରଥ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି, କୋଭିଡ୍ ମହାମାରୀ ବେଳେ ଅନେକ ଦେଶ ପ୍ରଭାବିତ ହୋଇଛି । ଭାରତ ଯେଉଁଭଳି ଭାବରେ ମୋଦିଙ୍କ ନେତୃତ୍ୱରେ କରୋନା ମୁକାବିଲା କରିଛି ତାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି । ଆମେରିକା ଯିଏକି ଭାରତକୁ ୨୦୦ ବର୍ଷ ଧରି ଶାସନ କରି କରିଥିଲା ସେ ବି ଏହି ମହାମାରୀରେ ପ୍ରଭାବିତ ହୋଇଛି । ଆଉ ସଂଘର୍ଷ କରୁଛି ବୋଲି ତିରଥ କହିଛନ୍ତି । ସେହିପରି ରାଶନ ଜଣେ କେମିତି ଅଧିକ ପାଇବେ ସେ ବାବଦରେ କହିଛନ୍ତି କୋଭିଡ୍ ବେଳେ ପ୍ରତ୍ୟେକ ଘରେ ସରକାର ମୁଣ୍ଡ ପିଛା ୫ କିଲୋ ଲେଖାଏଁ ରାଶନ ବାଣ୍ଟିଛନ୍ତି । ଯେଉଁ ପରିବାରରେ ୧୦ ଜଣ ଥିଲେ ସେହି ପରିବାରକୁ ୫୦ କିଲୋ ଏବଂ ୨୦ ଜଣ ଥିଲେ ଏକ କ୍ୱିଣ୍ଟାଲ ଚାଉଳ ମିଳିଛି । ଆଉ ଏହାକୁ ନେଇ କିଛି ଲୋକ ପ୍ରଶ୍ନ କରିଛନ୍ତି । ଯେଉଁମାନେ ବାରମ୍ୱାର ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶ୍ନ କରନ୍ତି । ଯେତେବେଳେ ସମୟ ଥିଲା ସେତେବେଳେ ୨୦ ଜଣଙ୍କୁ କାହିଁକି ଜନ୍ମ କଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି କରିଥାନ୍ତେ ଆଜି ଅଧିକ ରାଶନ ପାଇଥାନ୍ତେ ବୋଲି ତିରଥ କହିଛନ୍ତି । ସୂଚନାଯୋଗ୍ୟ ଏହାପୂର୍ବରୁ ମହିଳାଙ୍କ ଜିନ୍ସ ପିନ୍ଧିବାକୁ ନେଇ ତିରଥ ସିଂହ ପ୍ରତିକ୍ରିୟା ରଖିଥିଲେ । ଯାହାକୁ ନେଇ ସାରା ଦେଶରେ ସମାଲୋଚିତ ହୋଇଛନ୍ତି । ଆରଏସଏସ ସହ ଜଡ଼ିତ ଥିବା ଏହି ବିଜେପି ନେତା କହିଥିଲେ ବିମାନରେ ଯିବାବେଳେ ଥରେ ତାଙ୍କର ସହଯାତ୍ରୀ ଜଣେ ମହିଳା ଥିଲେ । ଯିଏକି ପେଶାରେ ଜଣେ ସାମାଜିକ କର୍ମୀ ଥିଲେ ଏବଂ ଏନଜିଓ ଚଳାଉଥିଲେ । ହେଲେ ତାଙ୍କର ପୋଷକ ପିନ୍ଧିବା ଉପରେ ପ୍ରଶ୍ନ ଉଠାଇ ତିରଥ କହିଥିଲେ ସେ ଫଟା ଜିନ୍ସ ପିନ୍ଧିଥିଲେ । ଯଦିଓ ଏହାକୁ ଧନୀ ଲୋକଙ୍କ ପୋଷାକ ବୋଲି କହୁଛନ୍ତି ହେଲେ ଏମିତି ପୋଷକ ପିନ୍ଧୁଥିବା ବ୍ୟକ୍ତି କେମିତି ସମାଜକୁ ସଂସ୍କାର ଦେବ ବୋଲି କହିଥିଲେ । ପରେ ବିବାଦୀୟ ହେବା ପରେ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ।

Leave A Reply

Your email address will not be published.