ୟେଦୁରାପ୍ପାଙ୍କ ବିରୋଧରେ ଚାଲିବ ଜମି ଦୁର୍ନୀତି ମାମଲା

0 65

ବେଙ୍ଗାଲୁରୁ, ୨୨ ।୩: ଅଡ଼ୁଆରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା । ବନ୍ଦ ହୋଇ ପଡ଼ିରହିଥିବା ଏକ ଜମି ଦୁର୍ନୀତି ମାମଲାର ପୁଣି ଥରେ ଶୁଣାଣି ପାଇଁ କର୍ଣ୍ଣାଟକା ହାଇକୋର୍ଟ ମାର୍ଚ୍ଚ ୧୭ରେ ନିର୍ଦ୍ଦେଶ ଦେଇଛନ୍ତି । ଏକ ସ୍ୱତନ୍ତ୍ର କୋର୍ଟରେ ଏହି ଜମି ଦୁର୍ନୀତି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୮-୧୨ ମଧ୍ୟରେ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଥିଲେ । ଶିଳ୍ପ ମନ୍ତ୍ରୀ ଥିଲେ କଟ୍ଟା ସୁବ୍ରମଣ୍ୟମ ନାଇଡୁ । ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ୨୪ ଏକର ସରକାରୀ ଜମି ପ୍ରଦାନ କରିଥିଲେ ସରକାର । ରାଜ୍ୟ ରାଜକୋଷର କ୍ଷତି ଦର୍ଶାଇ ଉତ୍ତର ବେଙ୍ଗାଲୁରରେ ଥିବା ଏହି ୨୪ ଏକର ଜମି ଜଣେ ବ୍ୟକ୍ତିକୁ ସରକାର ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ କ୍ଷମତାର ଅପବ୍ୟବହାର କରି ସରକାରୀ ଜମି ଦେଇଥିବା ଅଭିଯୋଗ ହୋଇଥିଲା । ଜମି ଜାଲିଆତି ଅଭିଯୋଗ ଆସିବାରେ ମାମଲାର ତଦନ୍ତ ଲୋକାୟୁକ୍ତ କରିଥିଲେ । ଆଉ ୯ ଜଣଙ୍କ ବିରୋଧରେ ଯେଉଁ ଜମି ଦୁର୍ନୀତି ଅଭିଯୋଗ ଆସିଛି ସେଥିରେ କୌଣସି ପ୍ରମାଣ ନାହିଁ ବୋଲି ଲୋକାୟକ୍ତ ଦର୍ଶାଇଥିଲେ । ହେଲେ ୟେଦ୍ୟୁରପ୍ପା ଏବଂ ନାଇଡୁଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା ଲୋକାୟୁକ୍ତ ପୁଲିସ । କିନ୍ତୁ ଜୁଲାଇ ୨୦୧୬ରେ ଏକ ସେସନ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ବନ୍ଦ ହୋଇଯାଇଥିଲା । ଏବେ ଜଣେ ସାମାଜିକ କର୍ମୀ ଆଲାମ ପାଶାଙ୍କ ଆବେଦନ ଉପରେ ବିଚାର କରି ପୁଣିଥରେ ଏହି ଜମି ଘୋଟାଲର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି ତେଣୁ ସେ ଏବେ ତାଙ୍କ ପଦବୀରୁ ସୌଜନ୍ୟତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ କହିଛି । ନହେଲେ ତଦନ୍ତ ପ୍ରଭାବିତ ହେବାର ସମ୍ଭାବନା ଅଧିକ ରହିଛି ବୋଲି ଦଳ କହିଛି । କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ବିଜେପି ଦୁର୍ନୀତି ମାମଲାରେ ସାଲିସ କରେ ନାହିଁ । ଏବେ କେଉଁ ଆଧାରରେ ଜଣେ ଦୁର୍ନୀତି ଅଭିଯୁକ୍ତ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି? ବିଜେପି, ଦଳୀୟ ସଭାପତି ଜେପି ନ‡ା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଏ ବାବଦରେ ଚୁପ ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.