ରୋହିଙ୍ଗ୍ୟା କ୍ୟାମ୍ପରେ ଅଗ୍ନିକାଣ୍ଡ, ୧୫ ମୃତ

0 65

ଢାକା, ୨୩ ।୩: ବାଂଲାଦେଶରେ ଥିବା ରୋହିଙ୍ଗ୍ୟାଙ୍କ କ୍ୟାମ୍ପରେ ବଡ଼ ଧରଣର ନିଆଁ ଲାଗିଯାଇଛି । ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ନିଖୋଜ ହୋଇଯାଇଛନ୍ତି । ଏ ସମ୍ପର୍କରେ ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ସୂଚନା ଦେଇଛି । ବାଂଲାଦେଶର ଢାକାରୁ ୟୁଏନଏଚଆରସିର ଜୋନେସ ଭାନ ଡେର କଲାୱ ଭିଡିଓ କନଫରେନ୍ସିଂରେ କହିଛନ୍ତି, ରୋହିଙ୍ଗ୍ୟା କ୍ୟାମ୍ପରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଯାଏଁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ଲୋକଙ୍କର କୌଣସି ପତ୍ତା ମିଳୁନାହିଁ । ସେମାନେ ଭିଡ଼ ଭିତରେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଛି । ଘଟଣାରେ ୫୬୦ ଜଣ ଆହତ ହୋଇଥିବା ବେଳେ ୪୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ନିଆଁ କେମିତି ଲାଗିଲା, ତାହା ଜଣାପଡ଼ି ନାହିଁ । ସେ ଆହୁରି କହିଛନ୍ତି କକ୍ସ ବଜାର ନିକଟ ବାଲୁଖାଲିରେ ଥିବା ରୋହିଙ୍ଗ୍ୟା କ୍ୟାମ୍ପରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଠାରେ ପ୍ରାୟ ୧,୨୪,୦୦୦ ଲୋକ ରହୁଥିଲେ । ଘଟଣା ପରେ ସବୁକିଛି ପୋଡ଼ି ଛାରଖାର ହୋଇଯାଇଛି । ହଜାରେରୁ ଅଧିକ ରେଡକ୍ରସ ଓ ଅନ୍ୟାନ୍ୟ ଟିମ୍ ଲୋକଙ୍କୁ ସହାୟତା କରିବାରେ ଲାଗିଛନ୍ତି । ରୋହିଙ୍ଗ୍ୟାମାନେ ଧ୍ୱଂସାବଶେଷ ତଳୁ ନିଜ ପରିବାର ଓ ଆସବାବପତ୍ର ଖୋଜିବାରେ ଲାଗିଛନ୍ତି । ପୂର୍ବରୁ କେବେ ଏମିତି ଘଟଣା ଦେଖିବାକୁ ମିଳି ନଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଅଗ୍ନିକାଣ୍ଡର କାରଣ ଖୋଜିବା ପାଇଁ ବାଂଲାଦେଶ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.