ଶିବସେନା ସାଂସଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ସାଂସଦ

0 69

ମୋତେ ଏସିଡ୍ ମାଡ଼ ଧମକ ମିଳୁଛି

ନୂଆଦିଲ୍ଲୀ, ୨୩ ।୩: ଶିବସେନାର ସାଂସଦ ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାଂସଦ । ସ୍ୱାଧୀନ ଭାବେ ଅମରାବତୀରୁ ଲୋକସଭାକୁ ଯାଇଥିବା ନବନୀତ କୌର ରାଣା ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବାରୁ ତାଙ୍କୁ ସାଂସଦ ଅରବିନ୍ଦ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଫୋନ ଯୋଗେ ଏସିଡ ଆକ୍ରମଣର ଧମକ ମିଳିଥିବା ମଧ୍ୟ ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଲୋକସଭାର ଲବିରେ ତାଙ୍କୁ ସାଂସଦ ଅରବିନ୍ଦ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବାରୁ ଜେଲ ପଠାଇ ଦେବାକୁ ଚେତାବନୀ ଦେଇଥିବା ସେ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି । ଏହା ବିରୋଧରେ ସେ ମାମଲା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଅବଗତ କରାଇଛନ୍ତି । ଅନ୍ୟପକ୍ଷରେ ସାଂସଦ ଅରବିନ୍ଦ ସାୱନ୍ତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେହିପରି ମହିଳା ସାଂସଦଙ୍କୁ ଯଦି କେହି ଏପରି ଧମକ ଦେଇଛି, ତା’ହେଲେ ସେ ଏହାକୁ କଡ଼ା ଭାଷାରେ ନିନ୍ଦା କରୁଛନ୍ତି ବୋଲି ମଧ୍ୟ କହିଛନ୍ତି । ନବନୀତି କୌର ରାଣା ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ କହିଛନ୍ତି, ଆଜି ଯେଉଁଭଳି ଭାବେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ମୋତେ ଧମକ ଦେଲେ, ଏହା କେବଳ ମୋ ପ୍ରତି ନୁହେଁ ବରଂ ପୂରା ଦେଶର ମହିଳାଙ୍କ ପ୍ରତି ଅପମାନ । ତେଣୁ ମୁଁ ଅରବିନ୍ଦଙ୍କ ବିରୋଧରେ କଠୋର ପୁଲିସ୍ କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟ ଉପରେ ମୁଁ ପ୍ରଶ୍ନ କରିଥିବାରୁ ଅରବିନ୍ଦ ଅତ୍ୟନ୍ତ ରାଗି ଯାଇଥିଲେ । ସେ ମୋତେ ଧମକ ଦେଇ ମୁଁ କେମିତି ମହାରାଷ୍ଟ୍ରରେ ବୁଲିବି, ତା’କୁ ଦେଖିବେ ବୋଲି ଚେତାବନୀ ଦେଇଛନ୍ତି । ଆମେ ତୁମକୁ ମଧ୍ୟ ଜେଲରେ ବନ୍ଦ କରିଦେବୁ । ଖାଲି ଅପେକ୍ଷା କର ବୋଲି ଅରବିନ୍ଦ ମୋତେ ଧମକ ଦେଇଛନ୍ତି । ଏକଥା ଶୁଣି ମୁଁ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୋ ସହ ମୋର ଜଣେ ସହଯୋଗୀ ଲୋକସଭା ଲବିରେ ଥିଲେ । ମୁଁ ତାଙ୍କୁ ପଚାରି ଥିଲି, ଆପଣ କିଛି ଶୁଣିଲେ କି? ସେ କହିଲେ ହଁ, ମୁଁ ଶୁଣିଛି । ରାଜମୁନ୍ଧୁରୀ ସାଂସଦ ଭାରତ ମରଗାନି ପୂରା ଘଟଣାର ସାକ୍ଷୀ ରହିଛନ୍ତି । ସେ ଆହୁରି କହିଛନ୍ତି, ମୋତେ ଏସିଡ ଆକ୍ରମଣର ଧମକ ଫୋନ ଯୋଗେ ମିଳିଛି । ସେହିପରି ଶିବସେନା ଲେଟର ପ୍ୟାଡ୍ରେ ମୋତେ ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପୁଲିସ୍ ଓ ବାଚସ୍ପତି ଓମ ବିର୍ଲାଜୀଙ୍କୁ ଜଣାଇ ଦେଇଛି । ମୋତେ ଫୋନ କରି କୁହାଯାଇଛି ଯେ ଯେଉଁ ସୁନ୍ଦର ଚେହେରା ପାଇଁ ତୁମେ ଗର୍ବ କରୁଛ, ତା’କୁ ଏସିଡ ପକାଇ ନଷ୍ଟ କରିଦିଆଯିବ । ଆଉ ତୁମେ କୁଆଡ଼େ ବି ଯାଇପାରିବ ନାହିଁ । ନବନୀତି ଲୋକସଭାରେ ନିଲମ୍ବିତ ମୁମ୍ବାଇ ପୁଲିସ୍ ଅଧିକାରୀ ସଚିନ ବାଜେଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେହିପରି ମୁମ୍ବାଇ ପୁଲିସ୍ର ପୂର୍ବତନ କମିଶନର ପରମବୀର ସିଂହ ଆଣିଥିବା ଦୁର୍ନୀତି ଅଭିଯୋଗକୁ ଆଧାର କରି ଉଦ୍ଧବ ଠାକରେ ସରକାର ଶାସନ ଗାଦିରୁ ଓହ୍ଲାଇ ଆସିବା ଦରକାର ବୋଲି ସେ କହିଥିଲେ । ଏହାକୁ ନେଇ ସଂସଦରେ ବେଶ ହଙ୍ଗାମା ବି ହୋଇଥିଲା । ଏହାପରେ ପୂରା ଘଟଣା ଘଟିଥିବା ନବନୀତ କହିଛନ୍ତି ।

Leave A Reply

Your email address will not be published.