ବିଜେପିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ମିଥୁନଙ୍କ ନାଁ ଗାଏବ

0 69

କୋଲକାତା, ୨୩ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ସମ୍ଭବତଃ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ଚୂଡ଼ାନ୍ତ ତାଲିକାରେ ୧୩ ଜଣଙ୍କ ନାଁ ରହିଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ପଦ୍ମ ଧରି ଟିକେଟ ଆଶା କରିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ଏଥିରେ ନାହିଁ । କୁହାଯାଉଥିଲା ଯେ ବିଜେପି ରାଶବେହାରି ଆସନକୁ ବେଙ୍ଗଲି ଫିଲ୍ମର ଦାଦା ବା ମିଥୁନଙ୍କ ପାଇଁ ସଂରକ୍ଷଣ କରି ରଖିଛି । କିନ୍ତୁ ଦଳ ଆଜି ଏହି ଆସନରୁ ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ସୁବ୍ରତ ସାହା ଲଢ଼ିବେ ବୋଲି ଘୋଷଣା କରିଛି । ମାର୍ଚ୍ଚ ୭ରେ ବିଜେପିର ବିଶାଳ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲିରେ ମିଥୁନ ଉପସ୍ଥିତ ରହିଥିଲେ । ଏହି ସମୟରେ ସେ ବିଜେପିରେ ମିଶିଥିଲେ । ଦଳୀୟ ସୂତ୍ରରୁ ଖବର ମିଳିଥିଲା ଯେ ବିଜେପି ଦକ୍ଷିଣ କୋଲକାତାର ସମ୍ମାନଜନକ ନିର୍ବାଚନ ମଣ୍ଡଳୀ ରାଶବେହାରି ଆସନରୁ ମିଥୁନଙ୍କୁ ଟିକେଟ ଦେବ । ମିଥୁନ ମଧ୍ୟ ଟିକେଟ ପାଇଁ ଆଶା କରି ବସିଥିଲେ । ହେଲେ ଆଜି ତାଙ୍କର ସବୁ ଆଶାରେ ପାଣି ପଡ଼ି ଯାଇଛି । ନିକଟରେ ମିଥୁନ ନିଜର ଭୋଟର କାର୍ଡକୁ ମୁମ୍ବାଇରୁ ବେଙ୍ଗଲକୁ ସ୍ଥାନାନ୍ତର କରିଥିଲେ । ତେଣୁ ସେ ନିର୍ବାଚନ ଲଢ଼ିବାକୁ ଯାଉଥିବା କୁହାଯାଉଥିଲା । ଏବେ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାଁ ନାହିଁ ସତ, ହେଲେ ବିଜେପି ଚାହିଁଲେ ଯେକୌଣସି ସ୍ଥାନରେ ପ୍ରାର୍ଥୀ ବଦଳାଇ ମିଥୁନଙ୍କୁ ଟିକେଟ ଦେବାର ସମ୍ଭାବନା ଏଡ଼ାଇ ଦିଆଯାଇନପାରେ । ବେଙ୍ଗଲ ବିଧାନସଭାର ୨୯୪ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟିଂ ହେବ । ଏହି ୮ ପର୍ଯ୍ୟାୟ ଭୋଟିଂ ପାଇଁ ଏପ୍ରିଲ ମଧ୍ୟଭାଗ ଯାଏ ନାମାଙ୍କନ ଦାଖଲ ଚାଲିବ । ଏହି କାରଣରୁ ନାମାଙ୍କନ ଶେଷ ଯାଏଁ ମିଥୁନଙ୍କୁ ଟିକେଟ ମିଳୁଛି କି ନାହିଁ, ତା’କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି । ସୂତ୍ର ଅନୁସାରେ ମିଥୁନ ମାର୍ଚ୍ଚ ୩୦ରେ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରିବେ । ଏହି ସମୟରେ ଆୟୋଜିତ ହେବାକୁ ଥିବା ରୋଡ ଶୋ’ରେ ସ୍ୱରାଷ୍ଟ୍ର ଅମିତ ଶାହ ମଧ୍ୟ ଉପସ୍ଥିତ ରହିବେ । ଅନ୍ୟପକ୍ଷରେ ବିଜେପି ଅଲୀପୁରଦୁଆର ଆସନରୁ ପ୍ରଥମେ ପ୍ରାର୍ଥୀ କରିଥିବା ପୂର୍ବତନ ଅର୍ଥନୀତିକ ପରାମର୍ଶଦାତା ଅଶୋକ ଲାହିରୀଙ୍କୁ ଏବେ ବାଲୁରଘାଟ ଆସନରୁ ଟିକେଟ ଦେଇଛି । ଅଶୋକ ଲାହିରୀ ଅଲୀପୁରଦୁଆର ଆସନରୁ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳୀୟ କର୍ମୀ ବିରୋଧ କରିଥିଲେ । ଫଳରେ ବିଜେପି ବାଧ୍ୟ ହୋଇ ଏଠାରେ ପ୍ରାର୍ଥୀ ବଦଳାଇଥିଲା ।

Leave A Reply

Your email address will not be published.