ସାଂଘାତିକ କରୋନା ସ୍ଥିତି

0 63

ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୨୫୧ ମୃତ

ନୂଆଦିଲ୍ଲୀ, ୨୫ ।୩: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି ମହାମାରୀ କରୋନା ଭାଇରସ । ଭାରତରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଛି । ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ଆଜି ୫୦ ହଜାର ପାର୍ କରିଯାଇଛି । ଦୀର୍ଘ ୫ମାସର ବ୍ୟବଧାନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର୍ କରିଛି । ସେହିପରି କରୋନା ୨୫୦ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି । ଗତବର୍ଷ ସେପ୍ଟେମ୍ବର ମଧ୍ୟଭାଗରେ କରୋନା ଦେଶରେ ସର୍ବୋଚ୍ଚ ଗତିରେ ଥିଲା । ଏହି ସମୟରେ ଦୈନିକ ସଂକ୍ରମଣ ୫୦ ହଜାର ଉପରେ ରହୁଥିଲା । ଏବେ ପୁଣିଥରେ ଦେଶରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ମୋଟ ୫୩,୪୭୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ଚଳିତବର୍ଷ ସର୍ବାଧିକ । ଗତକାଲି ପ୍ରାୟ ୪୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେଣୁ ଦୈନିକ କରୋନା ଗ୍ରାଫ ଏବେ ଉପରମୁହାଁ ହୋଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୭,୮୭,୫୩୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧,୧୨,୩୧,୬୫୦ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ସଂଖ୍ୟା ୩,୯୫,୧୯୨ ରହିଛି । ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ଆଉ ୨୫୧ ଜଣଙ୍କ ମୁଣ୍ଡ ନେଇଛି । ଫଳରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୦,୬୯୨ରେ ପହଞ୍ଚିଯାଇଛି । ସେହିପରି ଦେଶରେ ଏଯାଏ ୫,୩୧,୪୫,୭୦୯ ଜଣ କରୋନା ଟିକା ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ପ୍ରାୟ ୬୦% ଲୋକ ରହିଛନ୍ତି । ଦେଶର ଆକ୍ଟିଭ କେସ୍ ୪ ଲକ୍ଷ ମୁହାଁ ହୋଇଥିବା ବେଳେ ମହାରାଷ୍ଟ୍ରରେ ଏହା ୨ ଲକ୍ଷରୁ ଅଧିକ ରହିଛି । ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ମୋଟ ୩୧,୮୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଏହି ପ୍ରାଣଘାତୀ ଭାଇରସ ୯୫ ଜଣଙ୍କ ମୁଣ୍ଡ ନେଇଛି । ୧୫,୦୯୮ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ୨,୪୭,୨୯୯ ରହିଛି । ରାଜ୍ୟରେ ଆରୋଗ୍ୟ ହାର ୮୮.୨୧ ରହିଥିବା ବେଳେ ମୃତ୍ୟୁହାର ୨.୦୯କୁ ବୃଦ୍ଧି ପାଇଛି । ରାଜଧାନୀ ମୁମ୍ୱାଇରେ ମଧ୍ୟ ଚଳିତ ବର୍ଷର ସବୁଠାରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ଦିନକରେ ଏଠାରେ ୫,୧୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଏହା ୪୮% ଅଧିକ । କରୋନା ମୁମ୍ବାଇରେ ୬ ଜଣଙ୍କ ଜୀବନ ମଧ୍ୟ ନେଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକାଧିକ କଟକଣା ଲଗାଇଥିଲେ ହେଁ ଏହା ଉପରେ ବ୍ରେକ ଲାଗୁନାହିଁ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ତଥା ଦେଶର ଚିନ୍ତା ବଢ଼ିଯାଇଛି । କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.