ସିଆରପିଏଫ୍ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

0 63

ଶ୍ରୀନଗର, ୨୫ ।୩: ଜମ୍ମୁ କଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଲୱେପୋରାରେ ସିଆରପିଏଫର ଏକ ଟିମ୍ ଯାଉଥିବା ବେଳେ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନି ଜଣ ଯବାନ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଏହି ଆକ୍ରମଣ ପଛରେ ଲଶ୍କର-ଏ-ତୋଇବା ରହିଛି । ଶ୍ରୀନଗର ଜିଲ୍ଲାର ଲୱେପୋରା ଦେଇ ସିଆରପିଏଫର ଏକ ଟିମ୍ ଯାଉଥିଲେ । ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆତଙ୍କବାଦୀଙ୍କର ଗୋଟିଏ ଗ୍ରୁପ୍ ଏହି ଆକ୍ରମଣ କରିଛି । ଚାରି ଯବାନ ସେହି ଗାଡ଼ିରେ ଥିଲେ । ସମସ୍ତଙ୍କ ଶରୀରରେ ବନ୍ଧୁକ ଗୁଳି ବାଜିଛି । ଏହାପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ଆଉ ହସ୍ପିଟାଲରେ ପହଞ୍ଚିବା ପରେ ଜଣେ ଯବାନ ଆଖି ବୁଜିଥିଲେ । ଏବେ ତିନି ଯବାନ ଗୁରୁତର ଥିବା ଜଣାପଡ଼ିଛି । ଏବେ ଲୱେପୋରା ଅଞ୍ଚଳକୁ ସୁରକ୍ଷା ବଳ ଟିମ୍ ସହିତ ପୁଲିସ ଟିମ୍ ଘେରିଯାଇ ସର୍ଚ୍ଚ ଅପେରସନ ଚଳାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ନିକଟରେ ପାକିସ୍ତାନ ଭାରତ ସହିତ ସମ୍ପର୍କ ଯୋଡ଼ିବା ପାଇଁ ଗୋଟି ଚଳାଇଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିଲେ କିଭଳି ଏସିଆରେ ଥିବା ଦେଶ ମାନଙ୍କ ସହ ଭାରତର ଲାଭ ହେବ ବୋଲି ପାକିସ୍ତାନ ସେନାର ପ୍ରମୁଖ ବାଜଓ୍ୱା କହିଥିଲେ । ହେଲେ ଏଥିପାଇଁ ଭାରତ ଏବଂ ପାକିସ୍ତାନ ଉଭୟ ଅତୀତକୁ ଭୁଲିବା ଦରକାର ବୋଲି ସେ କହିଥିଲେ । ପାକିସ୍ତାନ ସେନାର ପ୍ରମୁଖ କମର ଜାଭେଦ ବାଜୱା ଇଣ୍ଡୋ-ପାକ୍ ରିଲେସନ ବୈଠକରେ ଏହା କହିଥିଲେ । ସେହିପରି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ସମାନ କଥା ଦୋହରାଇଥିଲେ । ଏହା ପୂର୍ବରୁ ଫେବୃଆରୀରେ ଭାରତ କହିଥିଲା ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ଭାରତ ସମ୍ପର୍କ ରଖିବାକୁ ଚାହୁଁଛି । ଆତଙ୍କବାଦ ଉପସ୍ଥିତିରେ ଭାରତ କୌଣସି କଥାବାର୍ତ୍ତା କରିବ ନାହିଁ ।

Leave A Reply

Your email address will not be published.