ଦୀର୍ଘ ୧୫ ମାସ ପରେ ମୋଦିଙ୍କ ବିଦେଶ ଗସ୍ତ

0 78

ବାଂଲାଦେଶ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ହେବେ

ନୂଆଦିଲ୍ଲୀ, ୨୬ ।୩: କରୋନା ସଂକ୍ରମଣ ପାଇଁ ବିଦେଶ ଗସ୍ତ ବନ୍ଦ କରିଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶରେ ପହଞ୍ଚିଛନ୍ତି । ଦୀର୍ଘ ୧୫ ମାସ ପରେ ମୋଦି ପ୍ରଥମଥର ପାଇଁ ବିଦେଶ ଯାତ୍ରା କରିଛନ୍ତି । ଶେଷଥର ପାଇଁ ସେ ୨୦୧୯ ନଭେମ୍ବର ମାସରେ ବିଦେଶ ଗସ୍ତ କରିଥିଲେ । ଏହି ସମୟରେ ସେ ବ୍ରାଜିଲ ଯାଇଥିଲେ । ୨୦୨୦ ମାର୍ଚ୍ଚ ମାସରେ କରୋନା ପାଇଁ ଦେଶରେ ଲକଡାଉନ ଲାଗୁ କରାଯାଇଥିଲା । ଏଥିପାଇଁ ମୋଦି ଆଉ ବିଦେଶ ଗସ୍ତ କରି ନଥିଲେ । ତେବେ ଆଜି ସକାଳ ୭.୪୫ରେ ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାଂଲାଦେଶ ଅଭିମୁଖେ ଉଡ଼ାଣ ଭରିଥିଲେ । ଦିନ ପ୍ରାୟ ୧୦ଟାରେ ସେ ଢାକାରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରେ ଖୋଦ୍ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ୱାଗତ କରିଥିଲେ । ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଥିବା ମୋଦି ସେଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସ ଅବସରରେ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ । ୫୦ ବର୍ଷ ତଳେ ଆଜିର ଦିନରେ ପାକିସ୍ତାନ ଠାରୁ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା । ଦୁଇ ଦେଶ ଆଜି ୫୦ ବର୍ଷର ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ପୂରଣ କରୁଛନ୍ତି । ମୋଦି ଢାକାର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏୟାରପୋର୍ଟରୁ ମୋଦି ଜାତୀୟ ସହିଦ ସ୍ମାରକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅପରାହ୍ନରେ ବାଂଲାଦେଶର ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ସେ ଆଲୋଚନା କରିବେ । ବାପୁ ବଙ୍ଗ ବନ୍ଧୁ କାର୍ଯ୍ୟକ୍ରମକୁ ମୋଦି ବାଂଲାଦେଶରେ ଉଦଘାଟନ କରିବେ । ଏଥିସହ ଦୁଇ ଦେଶ ମଧ୍ୟରେ ଏକାଧିକ ଦ୍ୱିପାକ୍ଷିକ ଓ ବାଣିଜ୍ୟିକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହେବାର ଅଛି ।

Leave A Reply

Your email address will not be published.