ନିର୍ବାଚନୀ ବଣ୍ଡ୍ ଉପରେ ଲାଗିପାରିବନି ରୋକ୍

0 74

ନୂଆଦିଲ୍ଲୀ, ୨୬ ।୩: ଆସନ୍ତା ଏପ୍ରିଲ ୧ରୁ ୧୦ ତାରିଖ ଯାଏ ଜାରି ହେବାକୁ ଥିବା ନିର୍ବାଚନୀ ବଣ୍ଡ୍ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ନିର୍ବାଚନୀ ବଣ୍ଡକୁ କିଣି ବିଭିନ୍ନ ବ୍ୟକ୍ତି, ସଂସ୍ଥା ଓ କମ୍ପାନୀ ପକ୍ଷରୁ ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦିଆଯାଏ । ତେବେ ନିର୍ବାଚନୀ ବଣ୍ଡ ଉପରେ ରୋକ ଲଗାଇବାକୁ ଏକ ଆବେଦନ ହୋଇଥିଲା । କିନ୍ତୁ କୋର୍ଟ ଏହା ବିରୋଧରେ ଆଗତ ଆବେଦନକୁ ମଧ୍ୟ ଆଜି ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଯୋଜନା ୨୦୧୮ରୁ ଲାଗୁ ହେଉଛି ଓ ଏବେ ମଧ୍ୟ ଜାରି ରହିଛି । ଏହାର ସୁରକ୍ଷା ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଛି । ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ନିର୍ବାଚନୀ ବଣ୍ଡ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇବାକୁ ଆବେଦନ କରାଯାଇଥିଲେ । ମାର୍ଚ୍ଚ ୨୪ରେ କୋର୍ଟ ଏସଂକ୍ରାନ୍ତ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଶୁଣାଣି ସମୟରେ ନିର୍ବାଚନ କମିଶନ କହିଛନ୍ତି, ଆମେ ନିର୍ବାଚନୀ ବଣ୍ଡ ଯୋଜନାକୁ ସମର୍ଥନ କରୁଛୁ । କାରଣ ଯଦି ବଣ୍ଡର ବ୍ୟବସ୍ଥା ନ ହେବ, ତା’ହେଲେ ରାଜନୀତିକ ଦଳଗୁଡ଼ିକ ନଗଦ ଟଙ୍କା ପାଇବେ । ଏହାଦ୍ୱାରା କଳାଟଙ୍କା କାରବାର ବଢ଼ିବାର ଆଶଙ୍କା ରହିଛି । ବଣ୍ଡ ବ୍ୟବସ୍ଥା ଭଲ କିନ୍ତୁ ଏଥିରେ ଆଉ ଟିକିଏ ସ୍ୱଚ୍ଛତା ଆସିବା ଉଚିତ । ନାମକ ସଂସ୍ଥା ଦାଖଲ କରିଥିବା ଆବେଦନ ଉପରେ ଯୁକ୍ତି ରଖି ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ନିର୍ବାଚନୀ ବଣ୍ଡ ଜରିଆରେ ଶାସକ ଦଳକୁ ଚାନ୍ଦା ନାଁରେ ଲାଞ୍ଚ ଦେଇ କାମ ହାସଲ କରିବାକୁ ପ୍ରୟାସ କରାଯାଉଛି । ନିର୍ବାଚନୀ ବଣ୍ଡ୍ ବର୍ତ୍ତମାନ ଏହାର ମାଧ୍ୟମ ପାଲଟିଛି । ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ କହିଥିଲେ ଯେ ଏହି ଲାଞ୍ଚ କେବଳ ଶାସକ ଦଳକୁ ନୁହେଁ ବରଂ ପରବର୍ତ୍ତୀ ସମୟରେ କ୍ଷମତାକୁ ଆସିବାର ସମ୍ଭାବନା ଥିବା ଦଳକୁ ମଧ୍ୟ ମିଳିଥାଏ । ଏହାକୁ ଆପଣ ଏଡ଼ାଇ ପାରିବେ କି? ପ୍ରଶାନ୍ତ ଭୂଷଣ ପୁଣି କହିଥିଲେ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ନିର୍ବାଚନୀ ବଣ୍ଡ ଉପରେ ଆପତ୍ତି ଉଠାଇଥିଲା । ଆରବିଆଇ କହିଥିଲା ଯେ ଏହି ବଣ୍ଡ ବ୍ୟବସ୍ଥା ଆର୍ଥିକ ଘୋଟାଲାର ଆଉ ଏକ ମାଧ୍ୟମ ବା ଅସ୍ତ୍ର । ଅନେକ ଲୋକ ବିଦେଶରେ ଟଙ୍କା ସଂଗ୍ରହ କରିପାରିବେ । ଏହାପରେ ସେମାନେ ଏଥିରୁ କିଛି ଅଂଶ ଦେଇ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଆକାରରେ ଦେଇପାରିବେ । ଏହା କଳାଧନ ବିରୋଧରେ ଲଢ଼େଇ ନା ଆଉ କିଛି? ସରକାରଙ୍କ ବିଶ୍ୱସନୀୟତା ପ୍ରତି ମଧ୍ୟ ଏପରି ବ୍ୟବସ୍ଥା ପ୍ରଶ୍ନ ଉଠାଉଛି । ବିଶ୍ୱର କୌଣସି ସ୍ଥାନରେ ଏପରି ହେଉନାହିଁ । ନିର୍ବାଚନୀ ବଣ୍ଡ ମାଧ୍ୟମରେ ସରକାରଙ୍କୁ ଲାଞ୍ଚ ଦିଆଯାଉଛି । ସ୍ଥିତି ଏପରି ହୋଇଛି ଯେ କିଏ, କେତେ ଟଙ୍କା ଓ କେଉଁ ପାର୍ଟିକୁ ଦେଲା, ତାହା ମଧ୍ୟ ନିର୍ବାଚନ କମିଶନ ଜାଣି ପାରୁନାହାନ୍ତି । କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜାଣୁଛି । ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ଜାଣୁଛିମାନେ ସରକାର ଜାଣୁଛନ୍ତି । କୋର୍ଟ ତାଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟ ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଏଥିସହ ଏପ୍ରିଲ ୧ରୁ ନୂଆ ନିର୍ବାଚନୀ ବଣ୍ଡ ଜାରି କରିବାକୁ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.