୧୦୦ ସ୍ଥାନରେ ସିବିଆଇ ରେଡ୍

0 76

ନୂଆଦିଲ୍ଲୀ, ୨୬ ।୩: ଏକାଧିକ ବ୍ୟାଙ୍କରେ ଠକେଇ ଚାଲିଥିବା ଅଭିଯୋଗରେ ତତ୍ପର ହୋଇ ଉଠିଛି ସିବିଆଇ । ଏଥିପାଇଁ ସିବିଆଇ ପକ୍ଷରୁ ଏକକାଳୀନ ୧୧ଟି ରାଜ୍ୟର ୧୦୦ଟି ସ୍ଥାନରେ ଚଢ଼ଉ କରାଯାଇଛି । ୩୦ଟି ବ୍ୟାଙ୍କ ଠକେଇ ମାମଲାରେ ସିବିଆଇର ଅଧିକାରୀମାନେ ଏକକାଳୀନ ଏପରି ଚଢ଼ଉ କରିଥିବା ଜଣାପଡ଼ିଛି ।
ସିବିଆଇ ମୁଖପାତ୍ର ଆରସି ଯୋଶୀ କହିଛନ୍ତି, ଦେଶରେ ଥିବା ଏକାଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜାଲିଆତି ଚାଲିଥିବା ଅଭିଯୋଗ ମିଳିଛି । ତେଣୁ ଦୁର୍ନୀତିରେ ସଂପୃ୍କ୍ତ ଥିବା ଲୋକଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବଡ଼ ଅପରେସନ ଆରମ୍ଭ କରାଯାଇଛି । ଅଭିଯୋଗ ଆସିଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଡିବିଆଇ, କାନାରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ରହିଛନ୍ତି । କାନପୁର, ଦିଲ୍ଲୀ, ଗାଜିଆବାଦ, ମଥୁରା, ନୋଏଡା, ଗୁରୁଗ୍ରାମ, ଚେତ୍ତାଇ, ଥିରୁଭାରୁ, ଭେଲ୍ଲୋର, ତିରୁପୁର, ବେଙ୍ଗାଲୁରୁ, ଗୁଣ୍ଠୁର, ହାଇଦ୍ରାବାଦ, ବଲ୍ଲାରୀ, ଭଦୋଦରା, କୋଲକାତା, ପଶ୍ଚିମ ଗୋଦାବରୀ, ସୁରତ, ମୁମ୍ବାଇ, ଭୋପାଲ, ନିମାଡି, ତିରୁପତି, ବିଶାଖାପଟନମ, ଅହମଦାବାଦ, ରାଜକୋଟ, କର୍ଣ୍ଣାଲ, ଜୟପୁର ଓ ଶ୍ରୀ ଗଙ୍ଗାନଗର ୧୦୦ଟି ସ୍ଥାନରେ ଏହି ରେଡ୍ କରାଯାଇଥିଲା । ବିଭିନ୍ନ ବ୍ୟାଙ୍କରୁ ଠକେଇ, ପାଣ୍ଠି ଡାଇଭରସନ, ନକଲି ଦସ୍ତାବିଜ୍ ଜରିଆରେ ବିଭିନ୍ନ କମ୍ପାନୀ ଆର୍ଥିକ ହେରଫେର କରୁଥିବା ଅଭିଯୋଗ ସିବିଆଇ ପାଖକୁ ଆସିଥିଲା । ଋଣ ନେବା ପରେ ସେମାନେ ଏହାକୁ ଫେରସ୍ତ କରିନାହାନ୍ତି । ହେଲେ ନକଲି ଦସ୍ତାବିଜ୍ ଜରିଆରେ ପୁଣିଥରେ ଋଣ ଉଠାଇବାରେ ଲାଗିଛନ୍ତି ବୋଲି ଅଭିଯୋଗ ମିଳିଥିଲା । ସେଭଳି ଠକ ଲୋକ ଓ କମ୍ପାନୀଙ୍କୁ ଧରିବା ପାଇଁ ସିବିଆଇ ମାମଲା ରୁଜୁ କରିଛି । ଏଥିରେ କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ତେଣୁ ଏକକାଳୀନ ରେଡ୍ ହୋଇଥିଲା ବୋଲି ସିବିଆଇ ମୁଖପାତ୍ର ଜଣଙ୍କ କହିଛନ୍ତି ।

Leave A Reply

Your email address will not be published.