“ଲେଡି ସିଂଘମ’ଙ୍କ ଆତ୍ମହତ୍ୟା

0 72

ଅମରାବତୀ, ୨୬ ।୩: ୨୮ ବର୍ଷୀୟ ଜଣେ ମହିଳା ରେଞ୍ଜ ଅଫିସର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ଏକ ସୁଇସାଇଡାଲ ନୋଟକୁ ପୁଲିସ ଜବତ କରିଛି । ଯେଉଁଥିରେ ସେ ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଜଣ ଅଫିସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀ ସ୍ଥିତ ମେଲଘାଟ ଟାଇଗର ରିଜର୍ଭ (ଏମଆରଟି)ରେ । ମୃତ ଲେଡି ଅଫିସର ଜଣଙ୍କ ହେଲେ ଦିପାଳୀ ଚୌହ୍ୱାନ ମୋହିତେ । ଦିପାଳୀଙ୍କ ସ୍ୱାମୀ ରାଜେଶ ମୋହିତେ ଚିଖାଲଝରାରେ ଜଣେ ଟ୍ରେଜରୀ ଅଫିସର । ଟାଇଗର ରିଜର୍ଭ ପଡ଼ିଆ ପାଖରେ ଥିବା ହରିଶାଲ ଗାଁରେ ଦିପାଳୀ ତାଙ୍କ ସରକାରୀ ବାସଭବନରେ ରହୁଥିଲେ । ନିଜ ସରକାରୀ ବାସଭବନରେ ମୁଣ୍ଡରେ ବନ୍ଧୁକ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ବିଳମ୍ୱିତ ରାତିରେ ଦିପାଳୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ମା ପାଖରେ ରହୁଥିଲେ । ହେଲେ ସେ ସମ୍ପର୍କୀୟଙ୍କ ଘରକୁ ସେହିଦିନ ଯାଇଥିବା ବେଳେ ଦିପାଳୀ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଦିପାଳୀ ଜଙ୍ଗଲ ମାଫିଆଙ୍କ ବିରୋଧରେ ଖୋଲା ଖୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । ତାଙ୍କର ସାହସିକତା ପାଇଁ ସେ ଲେଡି ସିଂଘମ ଭାବରେ ପରିଚିତ ଥିଲେ । ଶୁକ୍ରବାର ଦିପାଳୀଙ୍କର ଅନ୍ତିମ ସଂସ୍କାର ହୋଇଛି । ହେଲେ ଏହାପୂର୍ବରୁ ଅମରାବତୀ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ସୁଇସାଇଡାଲ ନୋଟ୍ ଜବତ କରିଛି । ଯେଉଁଥିରେ ଆଇଏଫଏସ ଅଫିସର ଶିବକୁମାରଙ୍କ ନାମ ଉଲ୍ଲେଖ ରହିଛି । ଏଥିସହ ଦିପାଳୀଙ୍କୁ ଦିଆଯାଇଥିବା ସରକାରୀ ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି । ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରି ଶିବକୁମାରଙ୍କୁ ଅଟକ ରଖିଛି । ସେ ବେଙ୍ଗାଲୁରୁ ଯିବା ପାଇଁ ନାଗପୁର ରେଳ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଛି । ଦିପାଳୀଙ୍କ ସହକର୍ମୀଙ୍କ ସୂଚନା ଅନୁଯାୟୀ ଶିବକୁମାର ବିଭିନ୍ନ ସମୟରେ ଦିପାଳୀଙ୍କୁ ଗାଳିଗୁଲଜ କରୁଥିଲେ । ସର୍ବସାଧାରଣରେ ଦିପାଳୀଙ୍କୁ ଅସ୍ରାବ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ବ୍ୟକ୍ତିଗତ ଭାବରେ ଟିପ୍ପଣୀ କରୁଥିଲେ । ଯାହାକୁ ନେଇ ଦିପାଳୀ ଶିବକୁମାରଙ୍କ ଉପର ଅଫିସର ତଥା ଟାଇଗର ରିଜର୍ଭର ନିର୍ଦ୍ଦେଶକ ଏମ.ଏସ ରେ‡ୀଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସେ ଏହି ଅଭିଯୋଗ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ କି ତାଗିଦ କରିନଥିଲେ ବୋଲି ଦିପାଳୀଙ୍କ ସୁଇସାଇଡାଲ ନୋଟରୁ ଜଣାପଡ଼ିଛି । ଦିପାଳୀଙ୍କୁ ବିଭିନ୍ନ ଅଡୁଆ କାମର ସମାଧାନ କରିବାକୁ ଶିବକୁମାର ନିର୍ଦ୍ଦେଶ ଦେବା ସହିତ ଗୋଟିଏ ମାସର ଦରମା ମଧ୍ୟ ରୋକି ଦେଇଥିଲେ ଶିବକୁମାର । ଦିପାଳୀ ୨୦୨୦ରେ ବିବାହ କରିଥିଲେ । ଫେବୃଆରୀରେ ପ୍ରେଗନେଣ୍ଟ ଥିଲେ । ଏହି ସମୟରେ ଶିବକୁମାର ପାଟ୍ରୋଲିଂ କରିବାକୁ ଜଙ୍ଗଲ ଭିତରକୁ ଦିପାଳୀଙ୍କୁ ନେଇଯାଉଥିଲେ । ଆଉ ଜଙ୍ଗଲରେ ପହଞ୍ଚିବା ପରେ ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଉଥିଲେ ବୋଲି ଜଣାପଡ଼ିଛି । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏକ ଉଚ୍ଚସ୍ତରୀୟ ତଦନ୍ତ ହେବ । ସମସ୍ତ ଦିଗରୁ ତଦନ୍ତ ହେବା ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଜିତ ପାୱାର କହିଛନ୍ତି ।

Leave A Reply

Your email address will not be published.