ଘନେଇଲା ଭାରରସ୍ ଭୟ… : ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

0 67

-ରାତି ୧୦ରୁ ସକାଳ ୫ଟା ଯାଏ କର୍ଫ୍ୟୁ
-୫ରୁ ଅନ୍ୟାଦେଶ ଯାଏ ଲାଗୁ ହେବ
-ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ବନ୍ଦ
-ଜରୁରୀ କାର୍ଯ୍ୟ ଛାଡ଼ି ଯାତାୟାତ ଉପରେ ବି କଟକଣା
-ଜରୁରିକାଳୀନ ସେବା ଓ କର୍ମଚାରୀ କଟକଣା ମୁକ୍ତ
-ପେଟ୍ରୋଲ ପମ୍ପ, ସିଏନ୍‌ଜି ଷ୍ଟେସନ ଖୋଲା ରହିବ
-ହୋମ୍ ଡେଲିଭରିକୁ ମିଳିବ ଅନୁମତି
-ସବୁ ଶିଳ୍ପ କାରଖାନା ଖୋଲା ରହିବ
-ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି

ଭୁବନେଶ୍ୱର : ଛତିଶଗଡ଼ରେ ମାଡିଚାଲିଛି ମହାମାରୀ । ହୁ ହୁ ହୋଇ ବଢ଼ୁଛି ଦୈନିକ ସଂକ୍ରମଣ । ଏଥିନେଇ ଓଡ଼ିଶା ପ୍ରତି ଘନଉଛି ଭାଇରସ୍‌ର ଭୟ । ସୀମାନ୍ତବର୍ତ୍ତୀ ଜିଲ୍ଲାରେ ବଢ଼ୁଛି ପଜିଟିଭ୍ କେସ୍ । ରାଜ୍ୟରେ ସଂକ୍ରମଣ ୫୦୦ ମୁହାଁ ହୋଇଥିବା ବେଳେ ଏହାକୁ ଲକ୍ଷ୍ୟ କରି ନାଇଟ୍ କର୍ଫ୍ୟୁ ଜାରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଛତିଶଗଡ଼ ସୀମାନ୍ତ ପଶ୍ଚିମ-ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଏହି କର୍ଫ୍ୟୁ ଲାଗିବ । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ତେବେ ଆସନ୍ତା ୫ ତାରିଖ ଅର୍ଥାତ ସୋମବାରଠାରୁ ଏହି କଟକଣା ଲାଗିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ କଟକଣା । ମେଡିକାଲ୍ କିମ୍ବା ଅନ୍ୟ ଏମରଜେନ୍ସିରେ ଲୋକେ ଯାତାୟାତ କରି ପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ ।

ଜରୁରିକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ବିଜୁଳି,ଅଗ୍ନିଶମ ସେବା,ଟେଲିକମ୍‌,ଜଳଯୋଗାଣ,ରେଳବାଇ,ବିମାନସେବା ଓ ଯାତାୟାତ ସୁବିଧା ଜାରି ରହିବ । ପରିଚୟପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟାତ କରି ପାରିବେ । ସମସ୍ତ ଶିଳ୍ପାୟନ ୟୁନିଟ୍‌, ନିର୍ମାଣ କାର୍ଯ୍ୟ, ମେଡିସିନ୍ ଦୋକାନ ଖୋଲା ରହିବ । ସେହିପରି ଘରୋଇ ଯାତ୍ରୀବାହୀ ଯାନ ଓ ଟାକ୍ସି ଯାତାୟତ କରିପାରିବେ ।

ଏୟାରପୋର୍ଟ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବା କରି ପାରିବେ। ହୋଟେଲ ଓ ଏ ସମ୍ବନ୍ଧୀୟ ଅଫିସ୍ ଓ କର୍ମଚାରୀଙ୍କୁ ଅନୁମତି ମିଳିବ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମ୍ୟୁନିସିପାଲ, ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଯିବାଆସିବା ପାଇଁ ଅନୁମତି ମିଳିବ । ଏଥିସହିତ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ ରଖି କଣ୍ଟେନମେଣ୍ଟ ଜୋନ୍ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି ।

କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରାଞ୍ଚଳର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ବୃନ୍ଦାବାହଲ ପଞ୍ଚାୟତର ଲିମ୍‌ସେର ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଆଜି ଦିନକରେ ରାଜ୍ୟରେ ୪୫୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.