ମହଙ୍ଗା ପଡ଼ିଲା ବାଚସ୍ପତିଙ୍କୁ ଚପଲ ଫିଙ୍ଗା : ୩ ବିଜେପି ବିଧାୟକ ନିଲମ୍ବିତ

0 60

ଭୁବନେଶ୍ୱର : ସବୁ ସୀମା ଟପିଗଲେ ବିଜେପି ସଦସ୍ୟ । ବିଧାନସଭା ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଛନ୍ତି । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଏଭଳି ଅମାନବୀୟ କାର୍ଯ୍ୟ କରିଥିଲେ ହେଁ ଅନୁଶୋଚନା କରିବା ପରିବର୍ତ୍ତେ ଏମାନେ ମୁହଁ ଟାଣ ଦେଖାଇଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ଏହି ଦୁଇଜଣ ନୁହଁନ୍ତି, ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ପୋଡିୟମ ଉପରକୁ ଲକ୍ଷ୍ୟ କରି ଇଅର ଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣାକୁ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ନିନ୍ଦା କରାଯିବା ସହିତ ଏହା ପବିତ୍ର ଗୃହ ପ୍ରତି ଅପମାନ ବୋଲି କହିଛନ୍ତି । ତେବେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ବିଜେପିର ୩ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ୩ ବିଜେପି ସଦସ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ,ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ।

ସୂଚନାଯୋଗ୍ୟ ଯେ, ଗୃହରେ ତରବରିଆ ଭାବେ ୨ଟି ବିଲ୍‌କୁ ସରକାର ପାରିତ କରାଇନେବା ପ୍ରତିବାଦରେ ଗୃହରେ କିଛି ବିରୋଧୀ ଦଳ ସଦସ୍ୟ ଆଜି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, କଲମ ଓ ହେଡଫୋନ୍ ଫିଙ୍ଗିଥିବା ଜଣାପଡ଼ିଛି । ତେବେ ଫୋପାଡ଼ିବା କଥାକୁ କୌଣସି ସଦସ୍ୟ ସ୍ୱୀକାର କରିନାହାନ୍ତି ।

ସେପଟେ ଏହି ଘଟଣାରେ ସବୁଦିଗକୁ ବିଚାର କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଆଜି ପୂର୍ବାହ୍ନ ଅଧିବେଶନରେ ଗୃହରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଖଣି ସମ୍ପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ ମଧ୍ୟ ସମାନ ପ୍ରସଙ୍ଗରେ ଉଦବେଗ ବ୍ୟକ୍ତ କରିଥିଲେ ।

ଏହି ହଟ୍ଟଗୋଳ ମଧ୍ୟରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପନ ପରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ଓ ଓଡ଼ିଶା ସୋସାଇଟି ପଞ୍ଜିକରଣ ବିଲକୁ ତରବରିଆ ଭାବେ ସରକାର ବିଧାନସଭାରେ ପାରିତ କରି ନେଇଥିବା ବେଳେ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ।

Leave A Reply

Your email address will not be published.