ହିନ୍ଦୁମାନଙ୍କ ସ୍ଥିତି ସାଂଘାତିକ

0 64

୨୫ବର୍ଷ ପରେ ବାଙ୍ଗଲାଦେଶରୁ ଲୋପ ପାଇଯିବେ

ନୂଆଦିଲ୍ଲୀ, ୪ ।୪ : ଭାରତର ପଡୋଶୀ ଦେଶରେ ସଙ୍କଟରେ ହିନ୍ଦୁ ସମ୍ପ୍ରଦାୟ । ବାଙ୍ଗଲାଦେଶ ଓ ପାକିସ୍ତାନ ଭଳି ଦେଶରେ ହିନ୍ଦୁମାନଙ୍କର ବଞ୍ôଚବା କଠିନ ହୋଇପଡିଲାଣି । ପଡୋଶୀ ଦେଶ ଗୁଡିକରେ ହିନ୍ଦୁମାନେ ଅତ୍ୟାଚାରିତ ହୋଇ ସେଠାରୁ ପଳାୟନ କରୁଛନ୍ତି । ଯଦି ଏଭଳି ହୁଏ ତେବେ ଦିନେ ବାଙ୍ଗଲାଦେଶରୁ ହିନ୍ଦୁ ଲୋପ ପାଇଯିବେ । ଆଉ ୨୫ ବର୍ଷ ପରେ ବାଙ୍ଗଲାଦେଶରେ ଜଣେ ମଧ୍ୟ ହିନ୍ଦୁ ରହିବେ ନାହିଁ । ସେଣ୍ଟର ଫର ଡେମୋକ୍ରାସି ପ୍ଲୁରାଲିଜିମ୍ ଆଣ୍ଡ ହ୍ୟୁମାନ ରାଇଟସର ଏକ ରିପୋର୍ଟରୁ ଏହା ଖୁଲାସା ହୋଇଛି । ଭାରତର ୭ଟି ପଡୋଶୀ ଦେଶ ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନସ୍ଥାନ, ମାଲେଶିୟା, ଇଣ୍ଡୋନେଶିଆ, ଶ୍ରୀଲଙ୍କା ଏବଂ ତିବତରେ ମାନବଅଧିକାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ବାଙ୍ଗଲାଦେଶ : ଏହି ରିପୋର୍ଟରୁ ପ୍ରକାଶ ଯେ, ବାଙ୍ଗଲାଦେଶରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଏବେ ସଙ୍ଗୀନ । ବାଙ୍ଗଲାଦେଶରୁ ଦୁଇ ଦଶକ ମଧ୍ୟରେ ୨.୩ ଲକ୍ଷରୁ ଅଧିକ ହିନ୍ଦୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଯଦି ଏହା ଜାରି ରହିବ ତେବେ ୨୫ ବର୍ଷ ପରେ ବାଙ୍ଗଲାଦେଶ ହିନ୍ଦୁ ଶୂନ୍ୟ ହୋଇଯିବ ।
ପାକିସ୍ତାନ: ସେହିପରି ପାକିସ୍ତାନରେ ହିନ୍ଦୁମାନଙ୍କ ସ୍ଥିତି ଚିନ୍ତାଜନକ ଅଟେ । ପାକିସ୍ତାନରେ ହିନ୍ଦୁ, ଶିଖ୍ ଓ ଖ୍ରୀଷ୍ଟିଆନଙ୍କ ପାଇଁ ବଞ୍ଚିବା ମୁସ୍କିଲ୍ ହୋଇଗଲାଣି । ପାକିସ୍ତାନରେ ହିନ୍ଦୁ ଓ ଶିଖ୍ ମହିଳା ଅପହରଣ, ଦୁଷ୍କର୍ମ, ଜବରଦସ୍ତ ଧର୍ମ ପରିବର୍ତ୍ତନର ଶିକାର ହେଉଛନ୍ତି । ପାକିସ୍ତାନର ଜନସଂଖ୍ୟା ୨୧ କୋଟି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୫୦ ରୁ ୬୦ ଲକ୍ଷ ହେଉଛନ୍ତି ହିନ୍ଦୁ । ସେଠାରେ ବହୁ ଅଳ୍ପସଂଖ୍ୟକ ଅତ୍ୟାଚାରିତ ହୋଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି । ବହୁ ହିନ୍ଦୁ ପଳାୟନ କରୁଛନ୍ତି । ସେଠାରେ ଏହା ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଛି ତାହାକୁ ହତ୍ୟା କରାଯାଉଛି ।
ଆଫଗାନିସ୍ତାନ: ଆଫଗାନିସ୍ତାନ କଥା ଦେଖିବାକୁ ଗଲେ ସେଠାରେ ହିନ୍ଦୁଙ୍କ ସ୍ଥିତି ସଙ୍ଗୀନ । ଆଫଗାନିସ୍ତାନରେ ଲୁପ୍ତ ଅବସ୍ଥାରେ ହିନ୍ଦୁ ସମ୍ପ୍ରଦାୟ । ଆଫଗାନିସ୍ତାନ ସମ୍ବିଧାନ ଅନୁଯାୟୀ, କୌଣସି ବି ମୁସଲମାନ ବ୍ୟକ୍ତି ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରିବ । ୧୯୭୦ର ଜନସଂଖ୍ୟା ଅନୁଯାୟୀ, ସେଠାରେ ୭ ଲକ୍ଷ ହିନ୍ଦୁ ଏବଂ ଶିଖ୍ ଥିଲେ । ଏବେ କେବଳ ହାତ ଗଣତି ୨୦୦ ହିନ୍ଦୁ ଓ ଶିଖ୍ ପରିବାର ଅଛନ୍ତି ।
ତିବତ, ଇଣ୍ଡୋନେଶିଆ, ମଲେଶିୟା, ଶ୍ରୀଲଙ୍କା : ତିବତରେ ମଧ୍ୟ ସମାନ ସ୍ଥିତି । ସେଠାରେ ହିନ୍ଦୁମାନଙ୍କ ପରିଚୟ, ସଂସ୍କୃତି, ଭାଷା, ଧର୍ମକୁ ଲୋପ କରିବାକୁ ଚେଷ୍ଟା କରାଯାଉଛି । ମାଲେଶିୟାରେ ଜନସଂଖ୍ୟାର କେବଳ ୬.୪ ପ୍ରତିଶତ ହିନ୍ଦୁ । ଏଠାରେ ମୁସଲିମଙ୍କ ସମକକ୍ଷ ହିନ୍ଦୁମାନଙ୍କୁ ଅଧିକାର ମିଳୁ ନାହିଁ । ଏତଦ୍ ବ୍ୟତୀତ ଇଣ୍ଡୋନେଶିଆରେ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରାଯାଉଛି । ସେହିପରି ଶ୍ରୀଲଙ୍କାରେ ମଧ୍ୟ ହିନ୍ଦୁମାନଙ୍କ ସ୍ଥିତି ଚିନ୍ତାଜନକ ।

Leave A Reply

Your email address will not be published.