ଗଜପତିରେ କରୋନା ସଚେତନତା ପାଇଁ ପୋଲିସର ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ

0 70

ପାରଳାଖେମୁଣ୍ଡି, ୭ା୪ : କରୋନାର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ନେଇ ସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସଚେତନତା, ବିଭିନ୍ନ କରୋନା କଟକଣାକୁ ଯାଞ୍ଚ ଏବଂ ନିୟମ କଡାକଡି କରିବାକୁ ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଠାରୁ ଗଜପତି ଜିଲ୍ଲା ପୋଲିସ ଏସ୍ପି ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଠାରୁ ଆରମ୍ଭ କରାଯାଇ ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ସାଧାରଣଙ୍କୁ ସମ୍ପୂର୍ଣ୍ଣ ଭାବେ ସଚେତନ କରାଯିବା ସ୍ଥିର ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟ୍ଟନାୟକ ସହରର ମୁଖ୍ୟ ବଜାର ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକଙ୍କ ସହ ମିଶି ସେମାନଙ୍କୁ ସଚେତନ କରିବା ସହ ବିଭିନ୍ନ ଯାଞ୍ଚ କରିଥିଲେ । ମୁଖ୍ୟତଃ ସାନିଟାଇଜ, ମାସ୍କ ପରିଧାନ, ସାମାଜିକ ଦୂରତା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ତୃଣମୂଳ ସ୍ତରରେ ସ୍ଥିତ ପରଖିବା ଉଦ୍ଦେଶ୍ୟରେ ଏପରି ୧୦ଦିନିଆ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣାପଡିଛି । ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ ନିୟମାବଳୀ ପାଳନ କରିବା ଓ ସଂକ୍ରମଣ ନିୟନ୍ତ୍ରଣରେ ସହଯୋଗ କରନ୍ତୁ ବୋଲି ଏସପି ଶ୍ରୀ ପଟ୍ଟନାୟକ ଅପିଲ କରିଛନ୍ତି । ଯଦି କେହି କୋଭିଡ୍ ନିୟମକୁ ଅମାନ୍ୟ କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏସ୍ପି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ପୋଲିସ ଟିମ୍ ଯୋଗ ଦେଇଥିଲେ ।

Leave A Reply

Your email address will not be published.