ଗଜପତି ରା.ଉଦୟଗିରି ଅଗ୍ନିକାଣ୍ଡ ବିଭୀଷିକାର ୩ ଦଶନ୍ଧି ବିତିଲା ତଥାପି ବିପନ୍ନଙ୍କ ସ୍ଥିତି ବଦଳି ନାହିଁ

0 67

ପାରଳାଖେମୁଣ୍ଡି, ୭ା୪ : ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ମହକୁମାରେ ଅଗ୍ନିକାଣ୍ଡ ବିଭୀଷିକା ଘଟଣାର ୩ଦଶନ୍ଧିରୁ ଉଦ୍ଧ୍ୱର୍ ବର୍ଷ ବିତି ଗଲାଣି । ତଥାପି ଏହି ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ବିପନ୍ନଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ଘଟିନାହିଁ । ସେମାନଙ୍କ ଗରିବ ଅବସ୍ଥା ସେତେବେଳେ ଯେମିତି ଥିଲା ବର୍ତ୍ତମାନ ବି ସେମିତି ରହିଛି । ଦୀର୍ଘ ୩୩ବର୍ଷ ପରେ ପୁଣି ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ସରକାରୀ ସାହାଯ୍ୟ ପାଇଁ ବୋଲି ବିପନ୍ନମାନେ ଅତ୍ୟନ୍ତ ଦୁଃଖରେ ପ୍ରଶ୍ନ କରିଛନ୍ତି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆର୍.ଉଦୟଗିରି ଗ୍ରାମରେ ଗତ ୧୯୮୮ ମସିହା ଏପ୍ରେଲ ୫ ତାରିଖ ଦିନ ଘଟି ଯ।।ଇଥିଲା ଏକ ଲୋମ ହର୍ଷଣକାରୀ ଘଟଣା ଯାହାକି, ସେ ସମୟରେ ସାରା ଓଡିଶାକୁ ସ୍ତବ୍ଧ କରିଥିଲା । ଚଇତ୍ର ମାସର ଉଦୁ ଉଦିଆ ଖରା ମଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ ଘଟି ଯାଇଥିଲା ଆର୍.ଉଦୟଗିରି ସହରରେ ଲୋମ ହର୍ଷଣ କାରି ଘଟଣା । ହଠାତ ଏକ ଜଳଖିଆ ଦୋକାନର ଚୁଲିରୁ ନିଆଁ ବାହାରି ଅଳ୍ପ ସମୟ ମଧ୍ୟରେ ଛାର ଖାର କରିଦେଇଥିଲା ସାରା ସହର ଏବଂ କାନ୍ଦ ବୋବାଳୀରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ । ଏକ ଜଳଖିଆ ଦୋକାନରେ ପକୁଡି ପ୍ରସ୍ତୁତ କଲା ସମୟରେ ଉକ୍ତ ତେଲ ପକୁଡି କଢେଇରୁ ନିଆଁ ବାହାରି ଜଳଖିଆ ଦୋକାନ ନିଆଁ ଲାଗି ଜଳିବା ସହ ସହରରେ ଥିବା ଏକ ନଡିଆ ଗଛରେ ନିଆଁ ଲାଗି ଅଞ୍ଚଳର ପ୍ରାୟ ୭୦୦ରୁ ଅଧିକ ଘର ପାଇଁଶ ହୋଇଯାଇଥିଲା । ବହୁ ଧନ ଜୀବନ ନଷ୍ଟ ହେବା ସହ ବହୁ ପରିବାର ଛାର ଖାର ହୋଇପଡିଥିଲେ । ଏଥିରେ ୫ଜଣ ଜୀବନ୍ତଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ । କାହାର ମା ନିଆଁରେ ପଡି ମୃତ୍ୟୁ ବରଣ କରିଥିଲେ ତ ଆଉ କେଉଁ ମାର କୋଳ ଶୂନ୍ୟ ହୋଇ ପଡିଥିଲା ତ ଆଉ କାହାର ଭାଇ ଭଉଣି ହରାଇ କଳା ଅଙ୍ଗାର ପାଉଁଶକୁ ଧରି ବାହୁନି ବାହୁନି କାନ୍ଦୁଥିଲେ । ଲୋକଙ୍କ କହିବା ଅନୁସାରେ ସେହି କାଳ ଦିନର ବା ସେହି ସମୟର କରୁଣ ଦୃଶ୍ୟ ଆଜି ବି ମନେ ପଡିଲେ ପାଦ ତଳୁ ମାଟି ଖସିବା ସାଙ୍ଗକୁ ଆଖିରୁ ଆପେ ଆପେ ଲୁହ ବାହାରି ଆସୁଛି । ତେବେ ସେ ଦିନର ଘଟଣାରେ ଆଜିବି ଲୋକେ ନିଜର ଲୋକଙ୍କୁ ହରାଇଥିବା ଲୋକଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦୁ ଛନ୍ତି । ୧୯୮୮ ମସିହା ଏପ୍ରେଲ ୫ ତାରିଖ ଦିନ ହଠାତ ଆର୍.ଉଦୟଗିରି ସହରରେ ଅଗ୍ନି ସଂଯୋଗ ହୋଇ ଘରକୁ ଘର ଡେଇଁ ନିଆ ବ୍ୟାପିବାରେ ଲଗି ସମଗ୍ର ସହରକୁ ନିମିଷକ ମଧ୍ୟରେ ନିଆଁ ପାଉଁଶ କରିପକାଇଲା ସାରା ସହରକୁ । ଅଞ୍ଚଳର ଲୋକ ଏପରି ଅବସ୍ଥାରେ ଛନ୍ଦି ହୋଇ ରହିଲେ ଯେ, ନିଜ ଘରକୁ ଅଗ୍ନି ସଂଯୋଗରୁ ଆୟତ୍ତ କରିବା ଦୂରର କଥା ନିଜେ ବି ସେମାନେ ଏହି ଅଗ୍ନି ଦାଉରୁ କୁଆଡେ ଯିବେ ଏବଂ ରକ୍ଷା ପାଇବେ ତାହାବି ସେମାନେ ବାଟ ପାଇଲେ ନାହିଁ ତଥାପି ସେମାନେ ନିଜ ପ୍ରାଣକୁ ପାଣି ଛଡାଇ ନିଜ ଘରକୁ ବା ନିଆଁକୁ ଅୟତ୍ତ କରିବା ଲାଗି ଅହରହ ଉଦ୍ୟମ ଜାରି ରଖିଥିଲେ ହେଲେ ତାହା ସମ୍ଭବପର ହୋଇ ପାରିଲା ନାହିଁ । ସେତେବେଳେ ବି ଫୋନ କିମ୍ବା ଗାଡି ଘୋଡାର ଏହି ଅଞ୍ଚଳ ଲାଗି ସୁବିଧା ନଥାଏ । ତଥାପି ଯେନ ତେନ ପ୍ରକାରେ ଲୋକଙ୍କ କହିବା ଅନୁସାରେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରେ ଥିବା ଦମକଳ ବାହିନୀ ସେମାନଙ୍କର ସଦଳ ବଳ ସହ ବିଳମ୍ବ ହେଲେ ସୁଦ୍ଧା ଆର୍.ଉଦୟଗିରି ପହଞ୍ଚିଥିଲେ । ସାରା ସହର ନିଆଁ ଜଳିବାର ଦଶ ବାର ଘଣ୍ଟା ପରେ ଦମକଳ ବାହିନୀ ପହଞ୍ôଚଥିଲେ ମଧ୍ୟ ସେମାନଙ୍କୁ ଏହି ନିଆଁକୁ ।ଆୟତ୍ତ କରିବା ଲାଗି ପ୍ରାୟ ଦେଢ ଦିନ ସମୟ ଲାଗି ଯାଇଥିଲା । କାଳେ କୁଆଡେ ନିଆଁ ଭିତରେ ଥିବ ଏବଂ ଭବିଷ୍ୟତରେ ଅସୁବିଧା ହେବ ସେଥିଲାଗି ସେହି ସମୟ ବା ସେହି ଦିନ ଠାରୁ ଆର୍.ଉଦୟଗିରି ଅଞ୍ଚଳରେ ଦମକଳ ବାହିନୀ ରହିବା ସହ ଦମକଳ କେନ୍ଦ୍ର ପ୍ରତିଷ୍ଠା ଲାଭ କଲା । ଅନ୍ୟପଟେ ସହରର ଅଗ୍ନି ବିପନ୍ନ ମାନେ ଘର ଜଳି ପାଉଁଶ ହେବା ଯୋଗୁଁ ସେମାନେ ସ୍କୁଲ ବାରଣ୍ଡା ଆଶ୍ରୟ ନେଇଥିଲେ । ସରକାରଙ୍କ ପକ୍ଷରୁ ଲୋକଙ୍କୁ ରିଲିଫ ମାଧ୍ୟମରେ ଚୂଡା,ଗୁଡ ଏଭଳି ସାମଗ୍ରୀ ପ୍ରଦାନ କରିଥିଲେ ତା ସହ ବ୍ରହ୍ମପୁର ଅଞ୍ଚଳର କିଛି ବଡ ବଡ ବ୍ୟବସାୟୀ ଅଗ୍ନି ବିପନ୍ନ ମାନଙ୍କୁ ସାହାଯ୍ୟ କରିବା ଲାଗି ଆଗଭର ହୋଇ ଆସିଥିଲେ । ସେତେବେଳେ ଆର୍.ଉଦୟଗିରିର ସ୍ଥିତ ଏପରି ଗମ୍ଭୀର ହୋଇ ପଡିଥିଲା ଯେ ଲୋକଙ୍କ ପାଖରେ ଖାଇବା ଲାଗି ଖାଦ୍ୟ ନଥିଲା । ରହିବା ଲାଗି ବାସଗୃହ ଦୂରର କଥା । ସମସ୍ତେ ସେହି ଦୁଃଖରେ ଜର୍ଜରିତ ହୋଇ ସେହି ଭଗବାନଙ୍କ ଭରସାରେ ରହୁଥିଲେ । ବହୁ ଲୋକ ଦାରିଦ୍ର୍ୟ ଯୋଗୁଁ ଆନାହାରରେ ମଧ୍ୟ କାଳତି ପାତ କରିଥିଲେ । ଏହି ଘଟଣା ଘଟି ୩୩ ବର୍ଷ ପୁରିଲା । ତଥାପି ପ୍ରକୃତ ବିପନ୍ନଙ୍କୁ ବର୍ତ୍ତମାନ ସୁଦ୍ଧା ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.