ପରମବୀର ସିଂହ ଏନଆଇଏରେ ହାଜର

0 65

ମୁମ୍ୱାଇ, ୭ ।୪: ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁମ୍ୱାଇ ସ୍ଥିତ ଏନଆଇଏ ଅଫିସରେ ହାଜର ହୋଇଛନ୍ତି । ସକାଳ ୧୦ଟା ସମୟରେ କାରରେ ଏନଆଇଏ ଅଫିସକୁ ଆସିଥିଲେ ପରମବୀର ସିଂହ । ଏପିଆଇ ସଚିନ ବାଜେ ଆଣ୍ଟିଲିଆରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ଏବଂ କାର ମାଲିକ ମନସୁଖ ହିରେନ ହତ୍ୟା ମାମଲାରେ ପରମବୀର ସିଂହଙ୍କୁ ଜେରା କରିପାରେ ଏନଆଇଏ । ସଚିନ ବାଜେ ପରମବୀର ସିଂହଙ୍କ ଅଧୀନରେ କାମ କରୁଥିଲେ । ତେଣୁ ସଚିନ ବାଜେଙ୍କ ଏହି ଅପରାଧିକ କାମ ବାବଦରେ ପରମବୀର ଜାଣିଥିଲେ ବୋଲି ଦାବି ହେଉଛି । ଅନ୍ୟପଟେ ସଚିନ ବାଜେଙ୍କ ଏନଆଇଏ ହେପାଜତ ଅବଧି ଆଜି ଶେଷ ହେଉଛି । ଏନଆଇଏ ସ୍ୱତନ୍ତ୍ର କୋର୍ଟରେ ଆଜି ସଚିନ ବାଜେଙ୍କୁ ହାଜର କରିବ ଏନଆଇଏ । ଏହାପୂର୍ବରୁ ସଚିନ ବାଜେ ଏବଂ ପରମବୀର ସିଂହଙ୍କୁ ଏନଆଇଏ ମୁହାଁମୁହିଁ କରିପାରେ । ସଚିନ ବାଜେଙ୍କର ଗୋଟିଏ ପରେ ଗୋଟିଏ ଅପରାଧିକ ମାମଲା ସାମ୍ନାକୁ ଆସିବା ପରେ ହରଡଘଣାରେ ପଡ଼ିଛନ୍ତି ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର । ଏହାପରେ ଗୃହମନ୍ତ୍ରାଳୟ ପରମବୀର ସିଂହଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ହଟାଇ ହୋମାଗାର୍ଡ ଡିଜି କରାଇଥିଲେ । ଆଉ ହଟାଇବା ପଛର କାରଣ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ ପରମବୀର କମିଶନର ପଦବୀରେ ଥିବା ବେଳେ ଅନେକ ମାମଲାରେ ଭୁଲ୍ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ତାଙ୍କୁ ପଦବୀରୁ ହଟାଯାଇଛି । ଏହାପରେ ପରମବୀର ଏକ ଚିଠି ପଠାଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ । ଯେଉଁଥିରେ ଅନଲୀ ଦେଶମୁଖ ସଚିନ ବାଜେଙ୍କ ଜରିଆରେ ୧୦୦ କୋଟି ବଟି ଆଦାୟ ପାଇଁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ । ଏବେ ବମ୍ୱେ ହାଇକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ଦେଇଛନ୍ତି ।

Leave A Reply

Your email address will not be published.