ପଞ୍ଜାବରେ ୩୦ ଯାଏଁ ନାଇଟ କର୍ଫ୍ୟୁ

0 65

ଅମୃତସର, ୭ ।୪: କରୋନାର ଦ୍ୱିତୀୟ ଲହରୀ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପଞ୍ଜାବରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେବ । ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ଆଜି ପଞ୍ଜାବ ସରକାର ଘୋଷଣା କରିଛନ୍ତି । ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମଗ୍ର ରାଜ୍ୟରେ କୌଣସି ରାଜନୀତିକ ସମାବେଶ ହୋଇପାରିବ ନାହିଁ ବୋଲି କହିଛନ୍ତି । ପୂର୍ବରୁ ପଞ୍ଜାବ ସରକାର ଏପ୍ରିଲ ୧୦ ଯାଏ କରୋନା କଟକଣା ଲାଗୁ କରିଥିଲେ । ଏବେ ଏହାକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି ।
ସରକାର ପୂର୍ବରୁ ଜାରି କରିଥିବା ସଂଶୋଧିତ ଗାଇଡଲାଇନରେ ନାଇଟ କର୍ଫ୍ୟୁ ୯ ବଦଳରେ ୧୨ଟି ଜିଲ୍ଲାରେ ଲାଗୁ ହେବ ବୋଲି କହିଥିଲେ । ଏବେ ନାଇଟ କର୍ଫ୍ୟୁ ପୂରା ରାଜ୍ୟରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଲୁଧିଆନା ଓ ପଟିଆଲା ମଧ୍ୟ ରହିଛି । ଏହି ଦୁଇ ସ୍ଥାନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ନୂଆ ଗାଇଡଲାଇନରେ ସରକାର କହିଛନ୍ତି ଯେ ବାହାଘର, ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏକାଠି ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ କହିଛନ୍ତି । ଖୋଲା ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଓ ବନ୍ଦ କୋଠୋରୀରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଯୋଗଦେଇପାରିବେ । ସମସ୍ତ ସରକାରୀ ଅଫିସରେ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ସରକାର ଏପ୍ରିଲ ୩୦ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଥିଲେ । ମଲ ମଧ୍ୟକୁ ଏକକାଳୀନ ୧୦୦ ଜଣ ଯାଇ ପାରିବେ ଓ ସିନେମା ହଲ ୫୦% ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି ଗାଇଡଲାଇନରେ କହିଥିଲେ । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ କରୋନା ପଞ୍ଜାବରେ ୬୭ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୨୯ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ କେସ୍ ମଧ୍ୟ ୨୫,୯୧୩କୁ ବୃଦ୍ଧି ପାଇଛି । ପଞ୍ଜାବ ପୂର୍ବରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା ।

Leave A Reply

Your email address will not be published.