ଦୟନୀୟ ସ୍ଥିତିରେ ଉତ୍ତର କୋରିଆ

0 65

ସିଓଲ, ୭ ।୪: ଦୟନୀୟ ସ୍ଥିତି ଅର୍ଥାତ ନିଜର ସବୁଠୁ ଖରାପ ସମୟ ଦେଇ ଗତି କରୁଛି ଉତ୍ତର କୋରିଆ । ଏହା ଆଉ କେହି କହି ନାହାନ୍ତି, ଖୋଦ୍ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ କହଛନ୍ତି । ପ୍ୟୋଙ୍ଗୟାଙ୍ଗରେ ଆୟୋଜିତ ଏକ ବଡ ରାଜନୈତିକ ସମ୍ମିଳନୀରେ ଶାସକଦଳର ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧନ କରି କିମ୍ ଜୋଙ୍ଗ ଉନ ସ୍ୱୀକାର କରିଛନ୍ତି ଯେ, ତାଙ୍କ ଦେଶ ସଂପ୍ରତି ସବୁଠୁ ଖରାପ ସମୟ ଦେଇ ଗତି କରୁଛି । ବିଶେଷଜ୍ଞଙ୍କ ମତରେ ଉତ୍ତର କୋରିଆରେ କିମ୍ଙ୍କ ଶାସନକୁ ଏକ ଦଶନ୍ଧି ପୂରା ହେବାକୁ ଯାଉଛି । ପୂର୍ବରୁ ଅସ୍ଥିର ରହିଥିବା ଉକ୍ତ ଦେଶର ଅର୍ଥବ୍ୟବସ୍ଥା କରୋନା ମହାମାରୀ ସଂକ୍ରମଣ କାରଣରୁ ଲାଗୁ ଲକ୍ଡାଉନ୍ ଯୋଗୁଁ ଆହୁରି ରସାତଳଗାମୀ ହେବାରେ ଲାଗିଛି । ଉତ୍ତର କୋରିଆର ଏହି ଆର୍ଥିକ ସଙ୍କଟ ଉପରେ ବେଡି ଉପରେ କରଡା ମାଡ ସାଜିଛି ଆମେରିକାର କଟକଣା । ଉତ୍ତର କୋରିଆର ସରକାରୀ କୋରିୟନ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କିମ୍ ମଙ୍ଗଳବାର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଏହି ବୟାନ ଦେଇଛନ୍ତି । କିମ୍ କହିଛନ୍ତି, ଦେଶ ଏ ପର୍ଯ୍ୟନ୍ତର ନିଜର ସବୁଠୁ ଖରାପ ସମୟ ଦେଇ ଗତି କରୁଛି । ଏହି ସ୍ଥିତିରୁ ମୁକୁଳିବାକୁ ହେଲେ ଲୋକଙ୍କ ଜୀବନ ଶୈଳୀକୁ ଉତ୍ତତ କରିବାକୁ ପଡିବ । ଏଥିପାଇଁ ପାର୍ଟି ସଂଗଠନର ଭୂମିକା ଉପରେ ନିର୍ଭର କରେ । ଏମିତି ସ୍ଥିତିରେ ଆମକୁ ଅନେକ ଆହ୍ୱାନପୂର୍ଣ୍ଣ ସ୍ଥିତିର ମୁକାବିଲା କରିବାକୁ ପଡିବ ବୋଲି ଉନ୍ କହିଛନ୍ତି ।
ଏସବୁ ପରେ ବି ଉତ୍ତର କୋରିଆ ଆମେରିକାର କଟକଣାକୁ ବେଖାତିର କରି ନିଜର ପରମାଣୁ ଅସ୍ତ୍ର ଶସ୍ତ୍ର ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଅତ୍ୟାଧୁନିକ କରିବାରେ ଲାଗି ପଡିଛି । ଏଥିସହ ଅନ୍ୟ ଦେଶରେ ବ୍ୟବହୃତ ଜ୍ଞାନ କୌଶଳକୁ ମଧ୍ୟ ଆପଣଉଛି । ଉତ୍ତର କୋରିଆ ଉପରେ ମିଳିତ ଜାତିସଂଘର ମଧ୍ୟ କଟକଣା ଜାରି ରହିଛି । ଏହା ଉପରେ ନଜର ରଖୁଥିବା ବିଶେଷଜ୍ଞଙ୍କ ଏକ ଦଳ ନିକଟରେ ସୁରକ୍ଷା ପରିଷଦକୁ ପଠାଇଥିବା ନିଜର ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, କିମ୍ ଜୋଙ୍ଗ ଉନ୍ଙ୍କ ସରକାର ଏମିତି ସାମଗ୍ରୀ ନିର୍ମାଣ କରି ସାରିଛି, ଯେଉଁଥିରେ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇ ପାରିବ ।

Leave A Reply

Your email address will not be published.