ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତ : ନବମ-ଏକାଦଶ କ୍ଲାସ୍ ବାତିଲ୍

0 67

-ଘରକୁ ଯିବେ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀ ୨୫ ଯାଏ ଚାଲିବ ଦଶମ-ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଏପ୍ରିଲ୍ ୩୦ ଯାଏ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ସମସ୍ତ ନିର୍ଦ୍ଦେଶକ ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ସରକାରୀ ସ୍କୁଲ ସହ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ ଓ ଘରୋଇ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ସ୍ଥଗିତ ନେଇ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ତୁରନ୍ତ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆବଶ୍ୟକ ସ୍ଥଳେ ସ୍କୁଲ୍ କର୍ତ୍ତୃପକ୍ଷ ଅନ୍ଲାଇନ୍ ପାଠପଢ଼ା ଜାରି ରଖିବାକୁ କୁହାଯାଇଛି । ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ାକୁ ସ୍ଥଗିତ ରଖାଯାଇଥିବା ବେଳେ ଏପ୍ରିଲ୍ ୨୫ ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାରି ରହିବ । ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସରରେ କୋଭିଡ୍ କଟକଣାକୁ ମାନି ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ହଷ୍ଟେଲରେ ମଧ୍ୟ କୋଭିଡ୍ ନିୟମ ପାଳନ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୮୦୦ ମୁହାଁ ହେଲାଣି । କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି । ଏଭଳି ସ୍ଥିତିରେ ନବମ-ଏକାଦଶ କ୍ଲାସ୍ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି ।

ବଢ଼ିବ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର :

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ସୂଚାରୁ ରୂପେ ଯୁକ୍ତ ଦୁଇ ପରୀକ୍ଷା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ମେ’ ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏ ବର୍ଷ ୩ ଲକ୍ଷ ୪୮ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।

ଅନ୍ୟପକ୍ଷରେ ଏଥର ପରୀକ୍ଷା ଦେବାକୁ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସବୁ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ପରିଚାଳନା ପାଇଁ ପରିଷଦର ବରିଷ୍ଠ ପଦାଧିକାରୀଙ୍କୁ ନେଇ ବୈଠକ କରାଯାଇଛି ।

ଆସନ୍ତା ସପ୍ତାହକ ମଧ୍ୟରେ ପରୀକ୍ଷା କେନ୍ଦ୍ର ଓ ହବ୍ ସଂଖ୍ୟା ଧାର୍ଯ୍ୟ କରାଯିବ । କରୋନା କଟକଣାରେ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ । ସଂକ୍ରମଣ ବଢୁଥିବାରୁ ଏଥର ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ପ୍ରସ୍ତାବ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରୋନା କଟକଣା ମଧ୍ୟରେ ପରୀକ୍ଷା କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ପରୀକ୍ଷାରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜଣାଯାଇଛି । ୨୦ ତାରିଖ ସୁଦ୍ଧା ଅଧ୍ୟକ୍ଷ ସମସ୍ତ ବ୍ୟବସ୍ଥା କରାଇବେ । କୌଣସି ପ୍ରକାର ତ୍ରୁଟି ଦେଖାଦେଲେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ଏଥିାଇଁ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.