ଅନୀଲ ଦେଶମୁଖଙ୍କ ବିରୋଧରେ ଜାରି ରହିବ ସିବିଆଇ ତଦନ୍ତ

0 70

ମୁମ୍ବାଇ, ୮ ।୪: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ସିବିଆଇ ଦ୍ୱାରା ହିଁ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ କିଛି ଦିନ ତଳେ ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଚାନ୍ଦା ଆଦାୟ ଅଭିଯୋଗ ଆଣିଥିଲେ । ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ଦେଶମୁଖ ଓ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ । କିନ୍ତୁ ଆଜି ଏହା ଖାରଜ ହୋଇଯାଇଛି । ଏହାର ଅର୍ଥ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସିବିଆଇ ଦ୍ୱାରା ହିଁ କରାଯିବ । ସୁପ୍ରିମକୋର୍ଟ ଆଜି କହିଛନ୍ତି, ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂହ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ନିରପେକ୍ଷ ସଂସ୍ଥା ଦ୍ୱାରା କରାଯିବା ଉଚିତ । କାରଣ ଉଭୟ ସରକାରଙ୍କ ଉଚ୍ଚ ପଦବୀରେ ରହିଛନ୍ତି । ଉଭୟ ଅଲଗା ହେବା ପୂର୍ବରୁ ଏକାଠି କାମ କରୁଥିଲେ । ତେଣୁ ବମ୍ବେ ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ରାୟ ବଳବତ୍ତର ରହିବ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ଆସିଥିବା ଅଭିଯୋଗ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଘଟଣାରେ କମିଶନର ଓ ଗୃହମନ୍ତ୍ରୀ ସାମିଲ ଅଛନ୍ତି । କ’ଣ ଏଭଳି ସ୍ଥିତିରେ ସିବିଆଇ ଏହାର ଯାଞ୍ଚ କରିବା କଥା ନୁହେଁ କି? ଅଭିଯୋଗ ପରେ ବି ପ୍ରାଥମିକ ପର୍ଯ୍ୟାୟରେ ଅନୀଲ ଦେଶମୁଖ ଇସ୍ତଫା ଦେଇ ନଥିଲେ । ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସେ ପଦ ଛାଡ଼ିଥିଲେ । ଅଭିଯୋଗ ଏକଦା ମନ୍ତ୍ରୀଙ୍କ ଡାହାଣ ହାତ କୁହାଯାଉଥିବା ବ୍ୟକ୍ତି ଆଣିଛନ୍ତି । ତେଣୁ ଏବେ ଏହାର ନିରପେକ୍ଷ ତଦନ୍ତ କରାଯାଉ । ଏଥିରେ ଅସୁବିଧା କିଛି ନାହିଁ । ବମ୍ବେ ହାଇକୋର୍ଟ ପ୍ରାଥମିକ ତଦନ୍ତ ପାଇଁ ସିବିଆଇକୁ କହିଛନ୍ତି । ୧୫ ଦିନ ଭିତରେ ରିପୋର୍ଟ କ’ଣ ଆସୁଛି, ତା’କୁ ଅପେକ୍ଷା କରାଯାଉ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.