କରୋନାରୁ ବର୍ତ୍ତିବା ପାଇଁ ମନ୍ତ୍ରୀଙ୍କ ପୂଜାର୍ଚ୍ଚନା

0 61

ଭୋପାଲ, ୧୦ ।୪: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହେବାରୁ ରାଜନେତାମାନେ ଏଥିରୁ ବର୍ତ୍ତିବା ପାଇଁ ଭଗବାନଙ୍କ ଶରଣ ପଶିଥିବା ଅନୁଭବ ହେଉଛି । ଏହାର ଉଦାହରଣ ସ୍ୱରୂପ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଉଷା ଠାକୁରଙ୍କ ନିଆଯାଉ । ଶିବରାଜ ସିଂହ ଚୌହାନଙ୍କ ସରକାରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଥିବା ଶ୍ରୀମତୀ ଠାକୁର କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେ ବିନା ମାସ୍କରେ ଏୟାରପୋର୍ଟରେ ପୂଜାର୍ଚ୍ଚନା କରି କରୋନାକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି । ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଅନୁସାରେ ମନ୍ତ୍ରୀ ଉଷା ଠାକୁର ଇନ୍ଦୋର ଏୟାରପୋର୍ଟରେ ଥିବା ଦେବୀ ଅହଲ୍ୟା ବାଈ ହୋଲକରଙ୍କ ପ୍ରତିମୂର୍ତ୍ତି ଆଗରେ ପୂଜାର୍ଚ୍ଚନା କରୁଛନ୍ତି । ଏହି ପ୍ରତିମୂର୍ତ୍ତି ଆଗରେ ସେ ତାଳି ମାରିବା ସହ ଭଜନ ମଧ୍ୟ ଗାନ କରୁଛନ୍ତି । କରୋନାକୁ ଦୂରେଇ ରଖିବା ପାଇଁ ମନ୍ତ୍ରୀଙ୍କ ଏହି ପୂଜାରେ ଏୟାରପୋର୍ଟ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ । ସେ କରୋନା କବଳରୁ ମୁକ୍ତି ପାଇଁ ପୂଜା କରୁଥିଲେ ହେଁ ତାଙ୍କ ମୁହଁରେ ମାସ୍କ ନଥିଲା । ଏହାପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ଭିଡ଼ ସ୍ଥାନରେ ବିନା ମାସ୍କରେ ଦେଖିବାକୁ ମିଳିଥିଲା । ସେ କାହିଁକି ମାସ୍କ ପିନ୍ଧୁ ନାହାନ୍ତି ବୋଲି ପ୍ରଶ୍ନର ଅଜବ ଉତ୍ତର ମଧ୍ୟ ଦେଇଥିଲେ । ସେ ପ୍ରତିଦିନ ଯଜ୍ଞ ଓ ହନୁମାନ ଚାଳିଶା ପାଠ କରୁଥିବାରୁ ମାସ୍କ ପିନ୍ଧିବାର ଆବଶ୍ୟକ ନାହିଁ ବୋଲି କହିଥିଲେ । ସେ ଆହୁରି ଦାବି କରିଥିଲେ ଯେ ଘର ମଧ୍ୟରେ ଗୋବର ଘସିରେ ଗୋଟିଏ ଥର ଯଜ୍ଞ କଲେ ଏହା ୧୨ ଘଣ୍ଟା ଯାଏ ସାନିଟାଇଜର ଭଳି କାମ କରିବ । ମହାରାଷ୍ଟ୍ର ଭଳି ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ମନ୍ତ୍ରୀ ଉଷା ଠାକୁରଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.