ଟିକାକରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ଠିକ୍ ଭାବେ ପରିଚାଳନା କରିପାରୁନାହିଁ

0 73

ନୂଆଦିଲ୍ଲୀ, ୧୦ ।୪: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ଅଭିଯୋଗ ଆସିଛି । ଏସବୁ ଭିତରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ଦଳ କ୍ଷମତାରେ ଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ବୈଠକ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସୋନିଆ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଟେଷ୍ଟ, ଟ୍ରାକ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ କରୋନା ଟିକାର ଉପଲବ୍ଧି, ସମସ୍ତଙ୍କୁ ଔଷଧ ଓ ଭେଣ୍ଟିଲେଟର ମିଳୁଛି କି ନାହିଁ, ତା’ର ମଧ୍ୟ ସମୀକ୍ଷା କରିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜୱାଲା ସୂଚନା ଦେଇଛନ୍ତି । ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେକଥା ମଧ୍ୟ ସୋନିଆ ପଚାରି ବୁଝିଛନ୍ତି । ଏହି ବୈଠକରେ ରାହୁଲ ଗାନ୍ଧି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାନେ ଅମରିନ୍ଦର ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମକୁ ଠିକ ଭାବେ ପରିଚାଳନା କରିପାରୁ ନଥିବା ସୋନିଆ ବୈଠକରେ ମତ ଦେଇଛନ୍ତି । ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, ମୋଦି ସରକାର ସ୍ଥିତି ଠିକ୍ ଭାବେ ପରିଚାଳନା କରିପାରୁନାହାନ୍ତି । ସରକାର ବିଦେଶୀକୁ ଟିକା ରପ୍ତାନୀ କରୁଛନ୍ତି । ଏହି କାରଣ ପାଇଁ ଭାରତରେ ଟିକାର ସଙ୍କଟ ଦେଖାଦେଇଛି । ରାଜନୀତିକ ଓ ଧାର୍ମିକ ସମାବେଶ ପାଇଁ କରୋନା ସଂକ୍ରମଣ ବଢ଼ୁଛି । ଏଥିପାଇଁ ଆମେ ମଧ୍ୟ କିଛି ଅଂଶରେ ଦାୟୀ । ଏହାକୁ ଆମକୁ ଗ୍ରହଣ କରି ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପଡ଼ିବ । କାରଣ ସମସ୍ତଙ୍କ ଠାରୁ ଉପରେ ହେଉଛି ଦେଶ । କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ରାଜନୀତିକ ଓ ଅନ୍ୟାନ୍ୟ ସମାବେଶକୁ ଯଥା ସମ୍ଭବ ବାତିଲ କରିବାକୁ ହେବ । ସେହିପରି କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ପ୍ୟାକେଜ୍ ଲୋକଙ୍କ ଉପରେ କ’ଣ ପ୍ରଭାବ ପକାଇଛି, ତା’ର ତଦାରଖ ମୁଖ୍ୟମନ୍ତ୍ରୀମାନେ କରିବା ଉଚିତ । ବୈଠକରେ ରାହୁଲ ଗାନ୍ଧି ମଧ୍ୟ କରୋନା ଭାଇରସ ଗରିବ ଓ ପଛୁଆ ବର୍ଗର ଲୋକଙ୍କୁ ଅଧିକ ପ୍ରଭାବିତ କରୁଥିବାରୁ ଚିନ୍ତା ପ୍ରକଟ କରିଥିବା ସୂରଜୱାଲା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.