ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଅବଗଣନା ଆରମ୍ଭ

0 61

ୟୁକ୍ରେନ୍ ସୀମାକୁ ସଂପୂର୍ଣ୍ଣ ଜଗିରହିଛନ୍ତି ଋଷ ସୈନ୍ୟ

ମୋସ୍କୋ, ୧୨ ।୪: ରୁଷିଆ ଏବେ ପେ଼ଡାଶୀ ୟୁକ୍ରେନକୁ ଚାରିପଟୁ ଘେରି ଯାଇଛି । ରୁଷିଆର ହଜାର ହଜାର ସୈନିକ ଏବଂ ମିଶାଇଲ ଏବେ ୟୁକ୍ରେନ ସୀମାକୁ ଘେରି ରହିଛନ୍ତି । ସ୍ଥିତି ଏମିତି ଯେ ବିଶ୍ୱଯୁଦ୍ଧ ହେବ ବୋଲି କୁହାଯାଉଛି । କାରଣ ୟୁକ୍ରେନକୁ ଆମେରିକା ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି । ତେବେ ରୁଷିଆ ୟୁକ୍ରେନ ସୀମାରେ ସୈନ୍ୟସାମନ୍ତ ବଢ଼ାଉଥିବା ଦେଖି ଆମେରିକା ମଧ୍ୟ ଦୁଇଟି ଯୁଦ୍ଧ ଜାହାଜ ସମୁଦ୍ର ଭିତରେ ନିୟୋଜିତ କରିବ ବୋଲି କହିଛି । ଏଥିପାଇଁ ତୁର୍କୀକୁ ଅନୁମତି ମାଗିଛି ଆମେରିକା । ଏପ୍ରିଲ ୧୪ ଓ ୧୫ରେ ଆମେରିକାର ଯୁଦ୍ଧ ଜାହାଜ ଯିବ ବୋଲି ତୁର୍କୀ କହିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ୱିଲକେନ ରବିବାର ଏକ ସାକ୍ଷାତକାରରେ ରୁଷିଆକୁ ଚେତାବନୀ ଦେଇଛନ୍ତି । ଯଦି ରୁଷିଆ ୟୁକ୍ରେନ ବିରୋଧରେ ଆକ୍ରମଣ କରିବ ତାହେଲେ ପରିଣାମ ଭୋଗିବାକୁ ହେବ । ନିକଟରେ ଯୁକ୍ତରାଷ୍ଟ୍ର, ଜର୍ମାନୀ ଏବଂ ତୁର୍କୀ ଭଳି ଦେଶ ରୁଷିଆକୁ ସଂଯମତା ରଖିବାକୁ କହିବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି । ଏନିବିସି ଟିଭି ଚ୍ୟାନେଲର “ମିଟ୍ ଦ ପ୍ରେସ’ରେ ୱିଲକେନ କହିଛନ୍ତି, ୟୁକ୍ରେନ ସୀମାରେ ରୁଷିଆ ସୈନ୍ୟ ସାମନ୍ତ ବଢ଼ାଇଛି । ଏହା ସମଗ୍ର ୟୁରୋପ ପାଇଁ ଚିନ୍ତାଜନକ । ଏବେ ୟୁରୋପର ସମସ୍ତ ସହଯୋଗୀ ଦଳ ପରସ୍ପର ସହିତ ଯୋଗାଯୋଗରେ ରହିଛନ୍ତି । ଯଦି ରୁଷିଆ ସେମିତି କିଛି କରିବ ତାହେଲେ ଏମାନେ ସମସ୍ତେ ମିଶି ରୁଷିଆକୁ କଡ଼ା ଜବାବ ଦେବେ ବୋଲି କୁହାଯାଉଛି । ଏବେ ୟୁକ୍ରେନ ନାଟୋରେ ସାମିଲ୍ ହେବା ପାଇଁ ଜୋରଦାର ପ୍ରୟାସ କରୁଛି । ଆଉ ଆମେରିକା ଏହାକୁ ସମର୍ଥନ କରୁଛି । ହେଲେ ଋଷିଆ ଏହାକୁ ବିରୋଧ କରୁଛି । ହ୍ୱାଇଟ୍ ହାଉସ କହିଛି ଯେ ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ରୁଷିଆ ୟୁକ୍ରେନ ସୀମାରେ ବହୁ ସଂଖ୍ୟାରେ ସୈନ୍ୟ ନିୟୋଜିତ କରିଛି । ୨୦୧୪ରେ ରୁଷିଆ ୟୁକ୍ରେନର କ୍ରିମିୟା ଦ୍ୱୀପକୁ ନିଜ ଅଧୀନକୁ ନେଇଛି । ଆଉ ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି । ରୁଷିଆ ଏବେ ଭୟ କରୁଛି ଯେ ଯଦି ୟୁକ୍ରେନ ଡୋନବାସର ପୂର୍ବ ପ୍ରାନ୍ତକୁ ନିଜ ନିୟନ୍ତ୍ରଣକୁ ନେବ ତାହେଲେ ସେବ୍ରେନିତ୍ସା ଭଳି ନରସଂହାର ହୋଇପାରେ । ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ୨୦୧୪ରେ ବିବାଦ ଆରମ୍ଭ ହୋଇଥିଲା । ଏହି ବର୍ଷ ରୁଷିଆ କ୍ରିମିୟା ଦ୍ୱୀପପୁଞ୍ଜକୁ ନିଜ ସହିତ ମିଶ୍ରଣ କଲା । ପୂର୍ବରୁ କ୍ରିମିୟା ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ରେ ୟୁକ୍ରେନରେ ଏକ ବିପ୍ଳବ ହୋଇଥିଲା । ଏହି ସମୟରେ ରୁଷିଆ ହସ୍ତକ୍ଷେପ କରି କ୍ରିମିୟାରେ ନିଜ ସୈନ୍ୟ ପୁରାଇ ଏହାକୁ ନିଜ ଅଧୀନରେ ନେଇଗଲା । ତେବେ ରୁଷିଆ ଏଭଳି କରିବା ପଛର କାରଣ ସେତେବେଳେ କହିଥିଲା, ଏହି ଅଞ୍ଚଳରେ ଅଧିକାଂଶ ଲୋକ ରୁଷିଆର ମୂଳ ବାସିନ୍ଦା । ସଂଖ୍ୟା ଗରିଷ୍ଠତା ତାଙ୍କ ଭାଷାଭାଷୀ ଲୋକଙ୍କର ଅଧିକ ରହିଛି । ତେଣୁ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ମିଶ୍ରଣ କରିଥିଲା । ହେଲେ ରୁଷିଆର ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି ୟୁରୋପୀୟ ଦେଶ । ଆଉ ଏହି ପ୍ରସଙ୍ଗକୁ ନେଇ ରୁଷିଆ ସହିତ ଆମେରିକା, ୟୁରୋପୀୟ ଦେଶର ମତଭେଦ ସୃଷ୍ଟି ହୋଇଛି । ରୁଷିଆର ପଦକ୍ଷେପ ବିରୋଧରେ ୟୁରୋପୀୟ ସଂଘ ଏବଂ ଆମେରିକା ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ । କୁହାଯାଉଛି ଯେ ପୂର୍ବ ୟୁକ୍ରେନରେ ହୋଇଥିବା ବିବାଦରେ ଏପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.