ସ୍ପୁଟନିକ୍ ଭି’କୁ ଭାରତରେ ବ୍ୟବହାର କରିବାକୁ ସବୁଜ ସଙ୍କେତ

0 71

ନୂଆଦିଲ୍ଲୀ, ୧୨ ।୪: କରୋନାର ବିସ୍ଫୋରକ ରୂପ ମଧ୍ୟରେ ଆଶ୍ୱସ୍ତି କରିବା ଭଳି ଖବର ସାମ୍ନାକୁ ଆସିଛି । ଭାରତରେ ଆଉ ଏକ କରୋନା ଟିକାର ଜରୁରୀକାଳୀଳନ ବ୍ୟବହାର ପାଇଁ ଆଜି ଗ୍ରୀନ ସିଗ୍ନାଲ ମିଳିଛି । ଆଜି ସରକାରଙ୍କ ବିଶେଷଜ୍ଞ କମିଟି ରୁଷ ପ୍ରସ୍ତୁତ କରିଥିବା ସ୍ପୁଟନିକ୍ ଭିକୁ ଭାରତରେ ବ୍ୟବହାର କରିବାକୁ ସବୁଜ ସଙ୍କେତ ଦେଇଛନ୍ତି । କମିଟିର ଏହି ଅନୁମୋଦନ ପ୍ରସ୍ତାବ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ଡିସିଜିଆଇ ପାଖକୁ ପଠାଯାଇଥିଲା । ଡିସିଜିଆଇ ମଧ୍ୟ ଏହାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି । ଯଦି ଡିସିଜିଆଇ ସତରେ ଏହାକୁ ମଞ୍ଜୁରୀ ଦେଇଥାଏ, ତା’ହେଲେ ସ୍ପୁଟନିକ ଭିର ବ୍ୟବହାର ଖୁବଶୀଘ୍ର ଦେଶରେ ଆରମ୍ଭ ହେବ । ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ତିଆରି କରିଥିବା କୋଭାକ୍ସିନ ଟିକାକୁ ଦେଶରେ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜରୀ ଦେଇଥିଲା । ତେଣୁ ସ୍ପୁଟନିକ ଭି ତୃତୀୟ ଟିକା ଭାବେ ଦେଶରେ ବ୍ୟବହାର ପାଇଁ ଅନୁମତି ପାଇଛି । ଭାରତରେ ସ୍ପୁଟନିକ ଭି ଟିକାର ଉତ୍ପାଦନ ଦାୟିତ୍ୱ ଡା ରେ‡ୀ ଲ୍ୟାବ୍କୁ ମିଳିଛି । ମର୍ଡନ ଓ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ପରେ ସ୍ପୁଟନିଭ ଭି କରୋନାକୁ ମାତ୍ ଦେବାରେ ୯୧.୬% ସକ୍ଷମ ବୋଲି ବିଭିତ୍ତ ପରୀକ୍ଷାରୁ ଜଣାପଡ଼ିଛି । ତେଣୁ ଭାରତରେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଡା ରେ‡ୀ ପକ୍ଷରୁ ଫେବୃଆରୀ ୧୯ରେ ସ୍ପୁଟନିକ ଭି ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରାଯାଇଥିଲା । ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି । ଏହା ସତ୍ତେ୍ୱ ବିଶେଷଜ୍ଞ କମିଟି ଟିକାର ବ୍ୟବହାର କରିବାକୁ ଅନୁମତି ଦେଇଛି । ଏପ୍ରିଲ ୧ରେ ବିଶେଷଜ୍ଞ କମିଟି ଡା ରେ‡ୀଙ୍କୁ ଟିକାର ଟ୍ରାଏଲ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା । ସଂସ୍ଥା ପକ୍ଷରୁ ବିସ୍ତୃତ ଭାବେ ଟ୍ରାଏଲ ରିପୋର୍ଟ ଦାଖଲ କରାଯାଇଥିଲା । ଟ୍ରାଏଲ ରିପୋର୍ଟକୁ ତର୍ଜମା କରିବା ପରେ ଏହାକୁ ଗ୍ରୀନ ସିଗ୍ନାଲ ଦେଇଛି । ସୂଚନା ଅନୁସାରେ, ଭାରତରେ ସ୍ପୁଟନିକ ଭିର ଟ୍ରାଏଲ ପ୍ରାୟ ୧୬ ଶହ ଲୋକଙ୍କୁ ନେଇ କରାଯାଇଛି । ଏହି ପରୀକ୍ଷାରେ ୧୮ରୁ ୯୯ ବର୍ଷ ବୟସର ଲୋକମାନେ ରହିଥିଲେ । ଭାରତ ବ୍ୟତୀତ ୟୁଏଇ, ଭେଞ୍ଜୁଆଲା ଓ ବେଲାରୁସ୍ରେ ମଧ୍ୟ ଏହାର ଟ୍ରାଏଲ କରାଯାଉଛି । ପ୍ରଥମ ସୋଭିଏତ ସ୍ପେଶ ସ୍ୟାଟେଲାଇଟ୍ର ନାଁକୁ ଆଧାର କରି ରୁଷ ଏହି କରୋନା ଟିକାର ନାଁ ସ୍ପୁଟନିକ ଭି ରଖିଛି । ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ ଭିର ଡୋଜ୍ ପିଛା ୧୦ ଡଲାରରୁ ମଧ୍ୟ କମ । ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇପାରିବ । ଗତବର୍ଷ ଅଗଷ୍ଟ ମାସରୁ ହିଁ ରୁଷରେ ଏହି ଟିକାର ଜରୁରୀ କାଳୀନ ବ୍ୟବହାର କରାଯାଉଛି ।

Leave A Reply

Your email address will not be published.