ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ : ୧୦ ସୀମାନ୍ତ ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ

0 66

ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ଦୁଇଲକ୍ଷ ଟପିଥିବା ବେଳେ ଓଡ଼ିଶାରେ ୩ହଜାର ମୁହାଁ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପୁଣି କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି । ଶୁକ୍ରବାରଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ପୂର୍ବରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ଆଉ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗିବ । ପୂର୍ବ ୧୦ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ ୫ଯାଏ ଲାଗୁ କରାଯାଇଛି । ପୂର୍ବରୁ ଏହା ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଥିଲା । ଅବଶିଷ୍ଟ ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ କରାଯାଇଛି ।

-ବଦଳିଲା ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସମୟ

-୧୦ ଜିଲ୍ଲାରେ ସଂଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫ୍ୟୁ

-ଅନ୍ୟ ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ

-ସଂପୃକ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍

-ଟ୍ୱିନ୍ସିଟିରେ ରାତି ୯ରୁ ସକାଳ ୫ ଯାଏ କର୍ଫ୍ୟୁ

-ନାଇଟ୍ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ

-ପରିଚୟପତ୍ର ଦେଖାଇ ଅତ୍ୟାବଶ୍ୟକ ସେବା କର୍ମଚାରୀ ଯାଇପାରିବେ

ଅତ୍ୟାବଶ୍ୟକ ମାଲ ପରିବହନ କାର୍ଯ୍ୟ ମଧ୍ୟ ଚାଲୁ ରହିବ

-୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍

-ଅଧା ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍

ଅନିର୍ଦ୍ଦିଷ୍ଟକାଳ ଯାଏ ଲାଗୁ ହେବ ଏହି ନିୟମ

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଥିଲେ । ଏଥିରେ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଆଜିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହେବ । ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏ ଆସନ୍ତାକାଲି ଠାରୁ ଲାଗୁ ହେବ । ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ ।

ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି,ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ କର୍ଫ୍ୟୁ ଲାଗୁ ହେବ । ଆସନ୍ତା ଶନିବାର ଓ ରବିବାରଠାରୁ ଏହି ସାପ୍ତାହିକ ସଟ୍ଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ ସମସ୍ତ ଜରୁରିକାଳୀନ ସେବାକୁ ବାଦ୍ ଦିଆଯାଇଛି । ଜରୁରିକାଳୀନ ସେବାରେ ନିୟୋଜିତ ବ୍ୟକ୍ତି ନିଜ ଆଇ କାର୍ଡ ଚେକିଂ ସମୟରେ ଦେଖାଇବେ ।

ନାଇଟ୍ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଉଚ୍ଚଶିକ୍ଷା ବିଭାଗର ସମସ୍ତ ପାଠପଢ଼ା ଆସନ୍ତା ୧୯ ତାରିଖରୁ ବନ୍ଦ କରାଯିବ । କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟ ଅଫ୍ଲାଇନ୍ କ୍ଲାସ୍ କରିପାରିବେ ନାହିଁ । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ନେଇ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବେ । ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିବାହରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ଧାର୍ମିକ,ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଶ୍ରଦ୍ଧାଳୁ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରତି ହାଟଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରାଯିବ । କରୋନା ଭାଇରସର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷମତାର ୫୦ ପ୍ରତିଶତ ବସିକରି ଖାଇବାକୁ ଅନୁମତି ଦିଆଯିବ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ । ତେବେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ ।

ଅଟୋ, ଟ୍ୟାକ୍ସିରେ ସର୍ବାଧିକ ୨ ଜଣ ଡ୍ରାଇଭର ବାଦ୍ ଯାଇପାରିବେ । ସିନେମା ହଲ୍ କ୍ଷମତାର ୫୦ ପ୍ରତିଶତ ସିଟକୁ ନେଇ ଚାଲିବ । ଖୋଲାସ୍ଥାନରେ ଥିବା ମୀନାବଜାର ଓ ପାର୍କରେ ସର୍ବାଧିକ ୨୦୦ ଜଣ, ଥିଏଟର ଓ ଯାତ୍ରାରେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ । ସରକାରୀ ଅଫିସ୍ ସବୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ନିୟମିତ ବ୍ୟବଧାନରେ କର୍ମକ୍ଷେତ୍ରକୁ ସାନିଟାଇଜ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି । ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ନେବା ଲାଗି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । କରୋନା ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇ ନେବା ଲାଗି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସୋମବାରଠାରୁ ବାହାର ରାଜ୍ୟକୁ ଗଡ଼ିବନି ବସ୍ :

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କଟକଣାକୁ ଜୋରଦାର କରିଛନ୍ତି । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ଆନ୍ତଃରାଜ୍ୟ ବସ୍ସେବାକୁ ଆସନ୍ତା ସୋମବାରଠାରୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି । କିନ୍ତୁ ରାଜ୍ୟ ଭିତରେ ପୂର୍ବଭଳି ବସ୍ ଚଳାଚଳ ଜାରି ରହିବ । ବସ୍ରେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ-ଟ୍ୟାକ୍ସିରେ ଡ୍ରାଇଭର ସହ ଦୁଇଜଣ ଯାଇପାରିବେ । କ୍ଷମତାର ୫୦ % ସିଟ୍କୁ ନେଇ ଚାଲିବ ସିନେମା ହଲ୍ । ସେହିପରି ଉଚ୍ଚଶିକ୍ଷା ବିଭାଗର ସମସ୍ତ
ଅଫ୍ଲାଇନ୍ କ୍ଲାସ୍ ଆସନ୍ତା ୧୯ ରୁ ବନ୍ଦ କରାଯିବ । କୋଚିଂ ସେଣ୍ଟରଗୁଡ଼ିକ ଅନ୍ଲାଇନ୍ରେ ଚାଲିବ । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ପାଠପଢ଼ା ନେଇ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବେ ।

Leave A Reply

Your email address will not be published.