ଗଜପତିରୁ ଆନ୍ଧ୍ରରେ ପଢୁଥିବା ଛାତ୍ରଛାତ୍ରୀମାନେ ୧୦ମ, ଦ୍ୱାଦଶ ପରୀକ୍ଷା ଦେବା ପାଇଁ ପ୍ରଶାସନର ସୁଯୋଗ

0 75


ପାରଳାଖେମୁଣ୍ଡି, ୧୮ା୪ : ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆନ୍ଧ୍ରରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଦେଇପାରିବେ । କରୋନା ନୀତିନିୟମ ଓ କଟକଣାକୁ ମାନି ଏହି ପରୀକ୍ଷାର୍ଥୀମାନେ ସେମାନଙ୍କର ପରୀକ୍ଷା ପରିଚୟ ପତ୍ରକୁ ନାକା ପଏଣ୍ଟରେ ଦେଖାଇ ପରୀକ୍ଷା ଦେଇ ପାରିବେ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗଜପତି ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳ ଗୁଡିକରେ ନାକା ପଏଣ୍ଟ ସ୍ଥାପନ କରି ସୀମାନ୍ତ ଅଞ୍ଚଳକୁ ସିଲ କରାଯାଇଛି । କେହି ଯଦି ଗଜପତି ଜିଲ୍ଲା ମଧ୍ୟରେ ପ୍ରବେଶ କରିବେ ତେବେ ସେମାନେ ୭୨ଘଣ୍ଟା ମଧ୍ୟରେ କୋଭିଡ୍ ପରୀକ୍ଷଣର ରିପୋର୍ଟ କିମ୍ବା ୨ଥର କୋଭିଡ୍ ଟୀକା ନେଇଥିବାର ପ୍ରମାଣ ପତ୍ର ଦେଖାଇଲେ ଜିଲ୍ଲା ମଧ୍ୟକୁ ପ୍ରବେଶ କରିବେ ବୋଲି କଡା ନିର୍ଦ୍ଦେଶ ରହିଛି । ଏହାକୁ ପାଳନ କରିବା ପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ନାକା ପଏଣ୍ଟରେ କଡା ପହରା ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସହରର ସମେତ ଜିଲ୍ଲାର ଅନ୍ୟତ୍ର ସ୍ଥାନର ଛାତ୍ରଛାତ୍ରୀ ମାନେ ଆନ୍ଧ୍ରରେ ପଢୁଥିବା ଯୋଗୁଁ ଗତକାଲି ଏହାକୁ ନେଇ କଟକଣା ଜାରି କରାଯାଇଥିଲା । ଏହି କଟକଣା ମୁତାବକ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଥିଲା ଯେ, ସେମାନେ ସେମାନଙ୍କ ପୁଅ କିମ୍ବା ଝିଅଙ୍କୁ ଆନ୍ଧ୍ର ପ୍ରଦେଶକୁ ନଛାଡିବା ପାଇଁ । ହେଲେ ଏହି ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନେ ଏମାନଙ୍କ ବାର୍ଷିକ ପରୀକ୍ଷା ନେଇ ଚିନ୍ତିତ ଥିଲେ । ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ୧୦ମ ଓ ଦ୍ୱାଦଶ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ବୋଲି ଘୋଷଣା କରିଛନ୍ତି । ଏହି ଛାତ୍ରଛାତ୍ରୀମାନେ ଦୈନନ୍ଦିନ ବିଦ୍ୟାଳୟ କିମ୍ବା କଲେଜକୁ ଯାଇ ପାରିବେନି । କିନ୍ତୁ ପରୀକ୍ଷା ସମୟରେ ସେମାନେ ଆଡମିଟ୍ କାର୍ଡ ସହ ଅନ୍ୟାନ୍ୟ ପ୍ରମାଣପତ୍ର ଦେଖାଇ କେବଳ ପରୀକ୍ଷା ଦେବା ପାଇଁ ଯାଇପାରିବେ ବୋଲି ଜିଲ୍ଲାପାଳ ଅନୁପମସାହା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.