୧୮ ଦିନରେ ୨୬ ଲକ୍ଷରୁ ଅଧିକ କରୋନା ସଂକ୍ରମିତ

0 66

ନୂଆଦିଲ୍ଲୀ, ୧୮ ।୪: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଗ୍ରାଫ କେଉଁଠି ଯାଇ ଅଟକିବ ସମସ୍ତଙ୍କୁ ବର୍ତ୍ତମାନ ସେ ଚିନ୍ତା ଖାଉଛି । ଗୋଟିଏ ଦିନରେ ସର୍ବାଧିକ ମାମଲାରେ ବିଶ୍ୱରେ ଆମେରିକା ପ୍ରଥମରେ ଅଛି । ଆମେରିକାର ଶୀର୍ଷ ସ୍ୱାସ୍ଥ୍ୟ ଏଜେନ୍ସି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁଯାୟୀ, ଆମେରିକାରେ ଜାନୁଆରୀ ୮ ତାରିଖରେ ୩ ଲକ୍ଷ ୧୫ ହଜାରରୁ ଅଧିକ ମାମଲା ଆସିଥିଲା । ଭାରତରେ ରବିବାର ଦିନ ୨ ଲକ୍ଷ ୬୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯେଉଁଭଳି ପ୍ରିତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଆଶଙ୍କା କରାଯାଉଛି ଯେ ଭାରତ ଶୀଘ୍ର ଆମେରିକାକୁ ବି ପଛରେ ପକାଇଦେବ । ଭାରତ ପାଇଁ କରୋନାର ଦ୍ୱିତୀୟ ଲହରରେ ଏପ୍ରିଲ ମାସ ସବୁଠାରୁ ଭୟାବହ ପ୍ରମାଣିତ ହୋଇଛି । ଗତ ୧୮ ଦିନରେ ୨୬ ଲକ୍ଷ ୩୯ ହଜାର ୧୬୦ ମାମଲା ସାମ୍ନାକୁ ଆସିଥିବାବେଳେ ୧୪ ହଜାର ୧୯୧ ଜଣଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚ ୩୧ ତାରିଖରେ ୪୫୭ ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଦୈନିକ ମୃତ୍ୟୁହାର ୧୫ରେ ପହଞ୍ଚିଛି । ମାର୍ଚ୍ଚ ୩୧ରେ ୭୨ ହଜାର ୧୯ ନୂଆ ମାମଲା ସାମ୍ନାକୁ ଆସିଥିଲା । ଭାରତରେ ଏପ୍ରିଲ ୫ ତାରିଖରେ ପ୍ରଥମଥର ସଂକ୍ରମଣ ଲକ୍ଷେ ତାପିଥିଲା । ଏହା ପୂର୍ବରୁ ଗତବର୍ଷ ସର୍ବାଧିକ ରେକର୍ଡ ଥିଲା ସେପ୍ଟେମ୍ବର ୧୭ ତାରିଖରେ ଯେତେବେଳେ ଗୋଟିଏ ଦିନରେ ୯୭ ହଜାର ୮୯୪ ମାମଲା ସାମ୍ନାକୁ ଆସିଥିଲା । ଆମେରିକାରେ ଦୈନିକ ହାରାହାରି ୬୦-୭୦ ହଜାର ମାମଲା ସାମ୍ନାକୁ ଆସୁଛି । ଅପରପକ୍ଷରେ ଭାରତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଗୁଣ ବଢି ୨.୬୧ରେ ପହଞ୍ଚିଛି । ମଙ୍ଗଳବାର ଦିନ ଦୁନିଆର ସବୁଠାରୁ ଅଧିକ ପ୍ରଭାବିତ ଦେଶ ହୋଇଛି ଭାରତ । ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଞ୍ଚିଛି । ବ୍ରାଜିଲରେ ଏବେ ସୁଦ୍ଧା ୧ କୋଟି ୩୫ ଲକ୍ଷ ୨୧ ହଜାର ୪୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ମୃତ୍ୟୁ ମାମଲାରେ ଭାରତ ତୃତୀୟ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.