ଦିଲ୍ଲୀରେ ସ୍ଥିତି ଖରାପ : ମୋଦୀଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

0 76

ନୂଆଦିଲ୍ଲୀ, ୧୮ ।୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଆକାଶଛୁଆଁ ହୋଇଥିବା ବେଳେ ରୋଗୀଙ୍କ ପାଇଁ ବେଡ୍ ମିଳୁନାହିଁ । ଏନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ରବିବାର ସାମ୍ବାଦିକ ସମ୍ମଳନୀରେ କେଜ୍ରିୱାଲ ଅସହାୟ ଥିବା ସ୍ପଷ୍ଟ ବାରି ହୋଇପଡ଼ିଛି । ତାଙ୍କ କଥା ଶୁଣିବା ପରେ କରୋନାର ଭୟାବହତା କେତେ ସେନେଇ ମଧ୍ୟ ଜଣାପଡ଼ିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ହସ୍ପିଟାଲରେ ଭର୍ତ୍ତି ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ସେ କହିଛନ୍ତି । ଏବେ ଦିଲ୍ଲୀରେ ୧୦୦ରୁ କମ୍ ଆଇସିୟୁ ବେଡ୍ ଖାଲି ଅଛି । ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ବିଗୁଡ଼ୁଥିବା ସ୍ଥିତିକୁ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଚିଠି ମାଧ୍ୟମରେ ଗୁହାରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ସ୍ଥିତିକୁ ଦେଖିବା ପରେ ବିନତୀ କରୁଛି କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ୭ ହଜାର ବେଡ୍ ସଂରକ୍ଷିତ ରଖନ୍ତୁ । ଦିଲ୍ଲୀରେ ଅକ୍ସିଜେନ୍ କମ୍ ଥିବାରୁ ଆମକୁ ଶୀଘ୍ର ଅମ୍ଳଜାନ ଦେବାକୁ ବ୍ୟବସ୍ଥା କରାଯାଉ । ସାମ୍ବାଦିକ ସମ୍ମଳନୀରେ କେଜ୍ରିୱାଲ ଆହୁରି କହିଛନ୍ତି, ଗତ ୨୪ ଘଣ୍ଟାରେ ୨୪ ହଜାର ୫୦୦ ମାମଲା ଆସିଛି । ଏହା ପୂର୍ବରୁ ୨୪ ଘଣ୍ଟାରେ ୧୯ ହଜାର ୫୦୦ ମାମଲା ମିଳିଥିଲା । ଏଥିରୁ ଜଣାପଡ଼ିଛି କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି । ଚିନ୍ତାର ବିଷୟ ହେଉଛି ଦିଲ୍ଲୀରେ ସଂକ୍ରମଣ ହାର ୩୦ ପ୍ରତିଶତରେ ପହଞ୍ଚିଛି । କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ଥିବା ବେଡ୍ ଶୀଘ୍ର ଫୁଲ୍ ହେବାରେ ଲାଗିଛି । ବିଶେଷକରି ଆଇସିୟୁ ବେଡ୍ ଶେଷ ହେବାକୁ ବସିଲାଣି । କେବଳ ୧୦୦ ସିଟ୍ ବାକି ରହିଛି ବୋଲି ସେ କହିଛନ୍ତି । ଅକ୍ସିଜେନ୍ କମ୍ ପଡ଼ୁଥିବା ବେଳେ କେନ୍ଦ୍ର ପାଖରୁ ସହାୟତା ମିଳୁଛି । ତେବେ ଆଗାମୀ ଦୁଇ ତିନି ଦିରେ ୬୦୦୦ ଅକ୍ସିଜେନ୍ ବେଡ୍ ପ୍ରସ୍ତୁତ କରାଯିବ । କିନ୍ତୁ ଦିଲ୍ଲୀରେ ବହୁ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Leave A Reply

Your email address will not be published.