ପରଲୋକରେ ଆଡୋବ ଓ ପିଡିଏଫର ପ୍ରତିଷ୍ଠାତା

0 63

ନ୍ୟୁୟର୍କ, ୧୮ ।୪: ଲୋକପ୍ରିୟ ସଫୱେୟାର ଆଡୋବର ପ୍ରତିଷ୍ଠାତା ତଥା ପୋର୍ଟେବୁଲ ଡକ୍ୟୁମେଣ୍ଟ ଫର୍ମାଟ (ପିଡିଏଫ)ର ପ୍ରତିଷ୍ଠାତା ଚାର୍ଲସ ଚୁକଙ୍କର ପରଲୋକ ହୋଇଛି । ଶୁକ୍ରବାର ସାନଫ୍ରାନସିସକୋରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଚାର୍ଲସଙ୍କ ବିୟୋଗରେ ଆଡୋବର ସିଇଓ ଶାନ୍ତନୁ ନାରାୟେନ କହିଛନ୍ତି, ଆଡୋବ ପାଇଁ ଏହା ଅପୁରଣୀୟ କ୍ଷତି । ଚାର୍ଲସ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଆଡୋବକୁ ନିଜ ହାତରେ ତିଆରି କରି ଆଜି ବିଶ୍ୱର ପ୍ରତ୍ୟେକ ଘରେ ଘରେ ତାଙ୍କ କମ୍ପାନୀକୁ ପହଞ୍ଚାଇ ପାରିଛନ୍ତି । ତାଙ୍କର ପରମର୍ଶକ୍ରମେ ଆଡୋବ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ବେଳେ ଏବେ ସେ ପରଲୋକ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚାର୍ଲସ ପ୍ରଥମେ ଆଡୋବ ପୋଷ୍ଟସ୍କ୍ରି ନାମକ ଏକ ସଫ୍ଟୱେୟାର ତିଆରି କରିଥିଲେ । ଏହି ସଫ୍ଟୱେୟାର ଜରିଆରେ ଟେକ୍ସଟ ଲେଟର ଏବଂ ଫଟୋକୁ ପେପରରେ ପ୍ରିଣ୍ଟ କରି ହେଉଥିଲା । ଏହାପରେ ପିଡିଏଫସ ଆକ୍ରୋବଟ, ଇଲୁଷ୍ଟ୍ରେଟର, ପ୍ରିମିୟର ପ୍ରୋ ଏବଂ ଫଟୋସପ ସଫ୍ଟୱେୟାର ତିଆରି କରିଥିଲେ । ଚାର୍ଲସଙ୍କ ବିୟୋଗରେ ତାଙ୍କ ସ୍ତ୍ରୀ ନାନସୀ ନାନ ଗେସଚକେ (୭୮) ପ୍ରତିକ୍ରିୟାରେ କହିଛନ୍ତି, ଚାର୍ଲସ ଜଣେ ସଫଳ ବ୍ୟବସାୟୀ ଥିଲେ । ବିଶ୍ୱର ଅନ୍ୟତମ ପ୍ରମୁଖ କମ୍ପାନୀ ଭାବରେ ଆଡୋବକୁ ସେ ତିଆରି କରିବା ସହିତ ଏହାକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ସେ ନିଜର ସଫଳତା ପାଇଁ ମଧ୍ୟ ଗର୍ବିତ ଥିଲେ । ଆଉ ସେ ବିଶ୍ୱର ଅନ୍ୟତମ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଥିଲେ । ୧୯୯୨ ମସିହାରେ ଚାର୍ଲସ ଚୁକଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ସେ ସକାଳେ ଚାଲି ଚାଲି ଯାଉଥିବାବେଳେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଆସି ଅପହରଣ କରିନେଇଥିଲେ । ସେତେବେଳେ ଚାର୍ଲସଙ୍କୁ ୫୨ ବର୍ଷ ହୋଇଥିଲେ । ତେବେ ୪ ଦିନ ପରେ ସେ ଅପହରଣକାରୀଙ୍କ କବଳରୁ ମୁକ୍ତ ହୋଇଥିଲେ ।

Leave A Reply

Your email address will not be published.