ମିଡିଆକୁ ରିପୋର୍ଟିଂରୁ ବାରଣ କରାଯାଇପାରିବନି

0 65

ନୂଆଦିଲ୍ଲୀ, ୩ ।୫: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରି ମାଡ୍ରାସ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ । ସଂକ୍ରମଣ ବୃଦ୍ଧି ଓ କରୋନା ମୃତ୍ୟୁ ପାଇଁ ନିର୍ବାଚନ କମିଶନଙ୍କ ଉପରେ ସମ୍ଭବତଃ ହତ୍ୟା ମାମଲା ଚାଲୁ କରିବା ଦରକାର ବୋଲି ମାଡ୍ରାସ ହାଇକୋର୍ଟ ଶୁଣାଣି ବେଳେ କହିଥିଲେ । ଏହାକୁ ନିର୍ବାଚନ କମିଶନ ବିରୋଧ କରିବା ସହ ଏ ସଂକ୍ରାନ୍ତରେ ରିପୋର୍ଟ ପରିବେଷଣ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ କଥାବାର୍ତ୍ତାର ରିପୋର୍ଟିଂ କରିବାକୁ କେବେ ହେଲେ ମିଡିଆକୁ ବାରଣ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟରେ ହେଉଥିବା ଆଲୋଚନାକୁ ମିଡିଆ ରିପୋର୍ଟିଂ ନ କରୁ ବୋଲି ଆପଣ(ଇସି) ଆଦୌ କହିପାରିବେ ନାହିଁ । ଲୋକଙ୍କ ସ୍ୱାର୍ଥ ପାଇଁ ଚୂଡ଼ାନ୍ତ ରାୟ ପୂର୍ବରୁ କୋର୍ଟରେ ସବୁ କିଛି ଆଲୋଚନା ହୋଇଥାଏ । କୋର୍ଟରେ ହେଉଥିବା ଆଲୋଚନା ବାର୍ ଓ ବେଞ୍ଚ ମଧ୍ୟରେ ଡାଏଲଗ । ଏହି ପବିତ୍ର ପ୍ରକ୍ରିୟାର ସୁରକ୍ଷା ଦିଗରେ ମିଡିଆ ଶକ୍ତିଶାଳୀ ଭୂମିକା ନିର୍ବାହ କରିଥାଏ । ତେଣୁ ଆଲୋଚନାର ରିପୋର୍ଟିଂ ଉପରେ ରୋକ ଲାଗିପାରିବ ନାହିଁ । ମିଡିଆ ସବୁ କିଛି ରିପୋର୍ଟିଂ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହ ମାଡ୍ରାସ ହାଇକୋର୍ଟ କରିଥିବା ଟିପ୍ପଣୀକୁ ନେଇ କୌଣସି ରାୟ ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ସୁପ୍ରିମକୋର୍ଟ ଇସିଙ୍କୁ କହିଛନ୍ତି ହାଇକୋର୍ଟ କହିଥିବା କଥାକୁ ଆପଣ ପିତା ଔଷଧର ବଟିକା ଭାବେ ବିବେଚନା କରନ୍ତୁ । ଆପଣ କୋର୍ଟଙ୍କ ଟିପ୍ପଣୀକୁ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ । ଆମକୁ ହାଇକୋର୍ଟଙ୍କୁ ସ୍ୱାଧୀନତା ଦେବାକୁ ପଡ଼ିବ । ତାଙ୍କୁ ହତାଶ କରିବା ଆମର କର୍ତ୍ତବ୍ୟ ନୁହେଁ । ଆପଣ ସାମ୍ବିଧାନିକ ସଂସ୍ଥା । କିନ୍ତୁ ଆପଣ ମଧ୍ୟ ନ୍ୟାୟିକ ବିଚାର ବ୍ୟବସ୍ଥା ବାହାରେ ନୁହନ୍ତି । କୋର୍ଟରେ ଯାହା ହେଲା, ତା’କୁ ମିଡିଆ ପୂର୍ଣ୍ଣ ମାତ୍ରାରେ ରିପୋର୍ଟିଂ କରିବା ଦରକାର । ଆମେ ଇସିଙ୍କ ଚିନ୍ତା ଦୂର କରିବାକୁ ଗୋଟିଏ ଛୋଟିଆ ଆଦେଶ ଦେବୁ । ଆମକୁ ନ୍ୟାୟିକ ପ୍ରକ୍ରିୟାର ପବିତ୍ରତାକୁ ରକ୍ଷା କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.