ଅକ୍ସିଜେନ ଅଭାବରୁ ୨ ଘଣ୍ଟାରେ ୨୪ ଜଣ ଜୀବନ ହାରିଲେ

0 70

ବେଙ୍ଗାଲୁରୁ, ୩ ।୫: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । କର୍ଣ୍ଣାଟକାର ଛାମରାଜନଗର ଜିଲ୍ଲା ହସ୍ପିଟାଲରେ ୨ ଘଣ୍ଟା ପାଇଁ ଅକ୍ସିଜେନ ସଙ୍କଟ ଦେଖାଯିବାରୁ ୨୪ ଜଣ ରୋଗୀଙ୍କ ଜୀବନ ଚାଲିଯାଇଛି । ରାତି ୧୨ରୁ ୨ଟା ମଧ୍ୟରେ ଅକ୍ସିଜେନ ସପ୍ଲାଏ ହ୍ରାସ ପାଇବାରୁ ଏଭଳି ଘଟଣା ଘଟିଥିବା ସରକାରୀ ଅଧିକାରୀ ସ୍ୱୀକାର କରିଛନ୍ତି । ଏହି ହସ୍ପିଟାଲରେ ମୋଟ ୧୪୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ହଠାତ୍ ରାତି ୧୨ଟାରୁ ୨ଟା ଯାଏ ଅମ୍ଳଜାନ ପାଇପ୍ରେ ସମସ୍ୟା ହେବାରୁ ଯୋଗାଣ ହ୍ରାସ ପାଇଥିଲା । ଏହି କାରଣରୁ ଅକ୍ସିଜେନ ସର୍ପୋଟରେ ଥିବା ୨୪ ଜଣ ରୋଗୀ ୨ ଘଣ୍ଟା ଭିତରେ ମୃତ୍ୟୁବରଣ କରିଛନ୍ତି । ତେବେ କେମିତି ଅକ୍ସିଜେନ ଯୋଗାଣ ହ୍ରାସ ପାଇଲା, ସେକଥା ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଘଟଣାକୁ ଗୁରୁତର ସହ ନେଇଛନ୍ତି । ସେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଗୃହମନ୍ତ୍ରୀ ବସଭରାଜ ବୋମାନି ମଧ୍ୟ ଡିଜିପି-ଆଇଜିପି ପ୍ରବୀଣ ସୁଦଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ମହୀଶୂର ସାଂସଦ ପ୍ରତାପ ସୀମା କହିଛନ୍ତି, ଛାମରାଜନଗର ଜିଲ୍ଲାରେ ଅକ୍ସିଜେନ ସଙ୍କଟ କଥା ମୁଁ ମିଡିଆରୁ ଜାଣିବାକୁ ପାଇଥିଲି ଏହାପରେ ତୁରନ୍ତ ଡିସି ରବିଙ୍କୁ ଫୋନ କଲି ଓ ଅକ୍ସିଜେନ ଯୋଗାଣ ଦାୟିତ୍ୱରେ ଥିବା ଏଡିସିଙ୍କୁ କନଫରେନ୍ସରେ ନେଇଥିଲି । ରାତିରେ ହିଁ ୧୫ଟି ସିଲିଣ୍ଡରର ବ୍ୟବସ୍ଥା କରାଯାଇଥିଲା । ତଥାପି ସବୁ ପ୍ରକାରର ଚେଷ୍ଟା ସତ୍ତେ୍ୱ ଏମିତି ଘଟଣା ଘଟିଲା । ଛାମରାଜନଗର ଆମ ଠାରୁ ବହୁ ଦୂରସ୍ଥାନ ନୁହେଁ । ଆମେ ସବୁ ବେଳେ ଏହାକୁ ଆମର ଅଞ୍ଚଳ ବୋଲି ଭାବୁ । ସେମାନଙ୍କ ଦୁଃଖରେ ଆମେ ମଧ୍ୟ ଦୁଃଖିତ ବୋଲି ସେ କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମହାମାରୀକୁ ମୁକାବିଲା କରିବାରେ ସରକାର ଫେଲ ମାରିଥିବାରୁ ତୀବ୍ର ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.