ମାଗଣା ଟିକାକରଣ ଆରମ୍ଭ କରିବାକୁ ବିରୋଧୀଙ୍କ ଦାବି

0 62

ନୂଆଦିଲ୍ଲୀ, ୩ ।୫: ଗୋଟିଏ ପଟେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଦାବି ଜୋର ଧରିଛି । ବିଭିନ୍ନ ରାଜ୍ୟରେ ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ସ୍ଥାନୀୟ ସରକାର ଘୋଷଣା କରିଛନ୍ତି । ତେବେ କେନ୍ଦ୍ର ସରକାର ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଜାତୀୟସ୍ତରରେ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ୧୩ ଜଣ ବିରୋଧୀ ଦଳ ନେତା ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଦୁଇ ଦିନ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ କରୋନା ମାମଲାର ଶୁଣାଣି କରିବା ବେଳେ ଟିକାକରଣ ପାଇଁ କାହିଁକି ଜାତୀୟ ନୀତି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଏବେ ୧୩ ଜଣ ବିରୋଧୀ ଦଳ ନେତା ଟିକାକରଣ ପାଇଁ ଜାତୀୟ ନୀତି ପ୍ରଣୟନ କରି ମାଗଣାରେ ସମସ୍ତ ନାଗରିକଙ୍କୁ ଟିକା ଦେବାକୁ ଦାବି କରିଛନ୍ତି । ମିଳିତ ବିବୃତିରେ ସେମାନେ କେନ୍ଦ୍ର ସରକାର ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଠିକ୍ ଭାବେ ସପ୍ଲାଏ କରିବାକୁ ମଧ୍ୟ କହିଛନ୍ତି । ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବିରୋଧୀ ଦଳର ନେତାମାନେ ଅକ୍ସିଜେନ ଯୋଗାଣ କରିବାକୁ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ ଚିଠି ଲେଖିଛନ୍ତି । ଏହି ଚିଠିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, ଏନସିପିର ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଭଳି ନେତା ଦସ୍ତଖତ କରିଛନ୍ତି । ସେମାନେ ଚିଠିରେ କହିଛନ୍ତି, କରୋନା ସଂକ୍ରମଣ ବଢ଼ୁଥିବାରୁ ଆମେ କେନ୍ଦ୍ର ସରକାରଙ୍କୁ ନିରବଚ୍ଛିନ୍ନ ଭାବେ ସବୁ ହସ୍ପିଟାଲକୁ ଠିକ୍ ଓ ଆବଶ୍ୟକ ପରିମାଣର ଅକ୍ସିଜେନ ଯୋଗାଣ ପାଇଁ ଦାବି କରୁଛୁ । ଏଥିସହ କେନ୍ଦ୍ର ସରକାର ସାରା ଦେଶରେ ସମସ୍ତଙ୍କ ପାଇଁ ତୁରନ୍ତ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ । ବଜେଟ୍ରେ ଟିକା ପାଇଁ ୩୫ ହଜାର କୋଟିର ବ୍ୟୟବରାଦ ହୋଇଥିଲା । ଏହି ଅର୍ଥକୁ ମାଗଣା ଟିକାକରଣ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉ ।

Leave A Reply

Your email address will not be published.