ଦୀର୍ଘ ୩୪ ବର୍ଷ କ୍ଷମତାରେ ଥିବା ବାମଦଳ ସଂପୂର୍ଣ୍ଣ ମୂଳପୋଛ

0 71

ନୂଆଦିଲ୍ଲୀ, ୩ ।୫: କଂଗ୍ରେସକୁ ହଟାଇ ବେଙ୍ଗଲରେ ବାମଦଳ ସରକାର ଗଠନ କରିଥିଲା । ପ୍ରଚଣ୍ଡ ବହୁମତ ସହ ଏଠାରେ ବାମଦଳ ଦୀର୍ଘ ୩୪ ବର୍ଷ ଧରି ଶାସନ ବି କରିଥିଲା । ହେଲେ ୨୦୧୧ରେ ବାମଦଳକୁ ହରାଇ ଟିଏମସି ନୂଆ ଖେଳାଳି ଭାବେ ମୈଦାନକୁ ଆସିଥିଲା ଓ ବେଙ୍ଗଲରେ କ୍ଷମତା ଦଖଲ କରିଥିଲା । ୩୪ ବର୍ଷ ପରେ କ୍ଷମତାରୁ ହଟିଥିଲେ ହେଁ ୨୦୧୧ରେ ବାମଦଳ ନିଜର କିଛି ଛାପ ଛାଡ଼ିଥିଲା । ୨୦୧୬ରେ ବି ଦଳ କମବ୍ୟାକ୍ କରିବାକୁ ଚେଷ୍ଟା କରିଥିଲା । ହେଲେ ୨୦୨୧ରେ କଂଗ୍ରେସ ସହ ମେଣ୍ଟ କରି ଲଢ଼ୁଥିବା ବାମଦଳ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । କଂଗ୍ରେସ ଭଳି ବାମଦଳ ବେଙ୍ଗଲରେ ଡୁବି ଯାଇଛି । ପ୍ରାୟ ସବୁ ଆସନରେ ବାମଦଳ ସହ ମେଣ୍ଟ କରିଥିବା ଦଳଗୁଡ଼ିକ ମିଳିତ ଭାବେ ପ୍ରାର୍ଥୀ ଦେଇଥିଲେ । ହେଲେ ଜଣେ ହେଲେ ବି କେହି ବି ଜିତି ପାରିନାହାନ୍ତି । ବରଂ ମେଣ୍ଟରେ ସାମିଲ ନ ଥିବା ଦୁଇ ସ୍ୱାଧୀନ ପ୍ରାର୍ଥୀ ବେଙ୍ଗଲ ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି । ୨୦୧୬ ନିର୍ବାଚନକୁ ବିଚାରକୁ ନେଲେ ସିପିଏମ ୧୪୮ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୨୬ଟିରେ ଜିତିଥିଲା । ସେହିପରି ସିପିଆଇ ଖାତକୁ ଗୋଟିଏ ଆସନ ଜିତିଥିଲା । କଂଗ୍ରେସ ୯୨ଟି ଆସନରେ ପ୍ରାର୍ଥୀ ଦେଇ ୪୪ଟିରେ ଜିତିଥିଲା । ୨୦୧୧ରେ ବାମଦଳ କ୍ଷମତାରୁ ହଟିଥିଲା । ଏହି ବିଧାନସଭା ନିର୍ବାଚନରେ ସିପିଏମ ୪୦ଟି ଆସନ ଜିତିଥିଲା । ଏହାର ଅର୍ଥ ପୂର୍ବ ବିଧାନସଭା ତୁଳନାରେ ଦଳକୁ ୧୩୬ଟି ଆସନ ହରାଇବାକୁ ପଡ଼ିଥିଲା । ସିପିଆଇ ୨ଟିରେ ଜିତିଥିବା ବେଳେ କଂଗ୍ରେସ ପୂର୍ବ ବିଧାନସଭା ତୁଳନାରେ ଅଧିକ ୨୧ଟି ଆସନ ଜିତି ନିଜ ସଂଖ୍ୟାକୁ ୪୨ରେ ପହଞ୍ଚାଇଥିଲା । ୨୦୨୧ରେ ବାମଦଳ ସହ ମେଣ୍ଟ କରି କଂଗ୍ରେସ କିଛି ଭୁଲ କଲା କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । କାରଣ ୨୦୧୧ରେ ୪୨ଟି ଆସନ ଜିତିଥିବା କଂଗ୍ରେସ ୨୦୧୬ରେ ୪୪ଟି ଆସନ ଜିତିଥିଲା । ଅର୍ଥାତ ଦଳ ୨ଟି ଅଧିକ ଆସନ ଜିତିଥିଲା । ହେଲେ ଦଳ ହଠାତ୍ ୨୦୨୧ରେ ମୂଳପୋଛ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେରଳରେ କଂଗ୍ରେସ ବାମଦଳ ବିପକ୍ଷରେ ନିର୍ବାଚନ ଲଢ଼ୁଥିବା ବେଳେ ବେଙ୍ଗଲରେ ଉଭୟ ଏକାଠୀ ହେବା ଘଟଣାକୁ ବେଙ୍ଗଲବାସୀ ମଧ୍ୟ ଠିକ୍ ଭାବେ ଗ୍ରହଣ କରି ନଥିଲେ । ଖାସ୍ ଏହି କାରଣ ପାଇଁ ବାମଦଳ ସହ କଂଗ୍ରେସକୁ ମଧ୍ୟ ଲୋକେ ପ୍ରତ୍ୟାଖ୍ୟାନ କରିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି । ବାମଦଳର ପ୍ରଦର୍ଶନକୁ ଦେଖିଲେ ଗୋଟିଏ କଥା ଜଣାପଡ଼ୁଛି ଯେ ଏହାର ପତନ ୨୦୧୧ରୁ ଆରମ୍ଭ ହୋଇଯାଇଥିଲା । ୧୦ ବର୍ଷ ଭିତରେ ଦଳ ପୂରା ମୂଳପୋଛ ହୋଇଯାଇଛି । ଅନ୍ୟପକ୍ଷରେ କେରଳରେ ବାମଦଳ ନିଜର ଅସ୍ଥିତ୍ୱ ବଜାୟୀ ରଖିଛି । ୧୯୮୭ରେ କଂଗ୍ରେସର କେ କରୁଣାକରନ ପରାସ୍ତ ହେବା ପରେ କେରଳରେ ପ୍ରତି ୫ ବର୍ଷରେ ଥରେ ସରରକାର ବଦଳୁଥିଲା । ୧୯୮୭ରୁ ୨୦୧୬ ମଧ୍ୟରେ କୌଣସି ଦଳ କ୍ରମାଗତ କ୍ଷମତା ଦଖଲ କରିପାରି ନଥିଲେ । ହେଲେ ପି ବିଜୟନ ଏହି ପରମ୍ପରାକୁ ଭାଙ୍ଗି ଦ୍ୱିତୀୟ ଥର କ୍ଷମତା ଦଖଲ କରିଛନ୍ତି । ଏହାବାଦ ତାମିଲନାଡୁରେ ମଧ୍ୟ ଦଳକୁ ସାମାନ୍ୟ ସଫଳତା ମିଳିଛି । କିଛି ହାତଗଣତି ଆସନରେ ବାମଦଳ ଏମକେ ଷ୍ଟାଲିନଙ୍କ ଡିଏମକେ ସହ ମିଶି ନିର୍ବାଚନ ଲଢ଼ୁଥିଲା । ଡିଏମକେ ଏଠାରେ ସରକାର ଗଠନ କରିବାକୁ ଯାଉଥିବାରୁ ବାମଦଳ ମଧ୍ୟ ଏଥିରେ ସାମିଲ ହେବ ।

Leave A Reply

Your email address will not be published.