ବିରୋଧୀ ଆସନରେ ବିଜେପି ଅପେକ୍ଷା ବାମଦଳ ବସିଥିଲେ ଭଲ ହୋଇଥାନ୍ତା

0 66

କୋଲକାତା, ୪ ।୫: ବେଙ୍ଗଲ ନିର୍ବାଚନ ମାନଚିତ୍ରରୁ କଂଗ୍ରେସ ଓ ବାମଦଳ ଚଳିତ ଥର ପୂରା ଲିଭି ଯାଇଛନ୍ତି । ଉଭୟ ଦଳ ଗୋଟିଏ ହେଲେ ବି ଆସନ ଜିତି ନାହାନ୍ତି । ଦୀର୍ଘ ୩୪ ବର୍ଷ ଧରି ବେଙ୍ଗଲକୁ ଶାସନ କରିଥିବା ବାମଦଳର ଏଭଳି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ କରିଛି । ଏସବୁ ଭିତରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମଥର ପାଇଁ ବାମଦଳ ପାଇଁ କିଛି ଭଲ କଥା କହି ସହାନୁଭୂତି ଜଣାଇଛନ୍ତି । ବାମଦଳକୁ ୨୦୧୧ରେ ହିଁ ମମତା ଗାଦିଚ୍ୟୁତ କରି ବେଙ୍ଗଲରେ କ୍ଷମତା ଦଖଲ କରିଥିଲେ । ଏବେ ମମତା କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିଛନ୍ତି । ୨୦୧୬ ନିର୍ବାଚନ ଅପେକ୍ଷା ଟିଏମସି ଏଥର ଅଧିକ ୨ଟି ଆସନ ଜିତିଛି । ମମତା ନିର୍ବାଚନ ଜିତିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ବାମଦଳ ପ୍ରତି ସହାନୁଭୂତି ଜଣାଇଛନ୍ତି । ସେ କହିଛନ୍ତି, “”ମୁଁ ସେମାନଙ୍କୁ(ବାମଦଳ) ରାଜନୀତିକ ସ୍ତରରେ ବିରୋଧ କରେ । କିନ୍ତୁ ମୁଁ କେବେ ହେଲେ ସେମାନେ ଶୂନ ହୋଇଯାଆନ୍ତୁ ବୋଲି ଚାହୁଁନାହିଁ । ବିଜେପି ଅପେକ୍ଷା ସେମାନେ ଯଦି କିଛି ଆସନରେ ଜିତିଥାଆନ୍ତେ, ତା’ହେଲେ ବହୁତ ଭଲ ହୋଇଥାଆନ୍ତା । ମମତା ବିଜେପି ଅପେକ୍ଷା ବେଙ୍ଗଲ ବିଧାନସଭାର ବିରୋଧୀ ଆସନରେ ବାମଦଳ ବସିବାକୁ ଚାହାନ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ମମତା ବାମଦଳକୁ ପ୍ରଥମଥର ଭଲ କଥା କହିଥିଲେ ହେଁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି, ସେମାନେ ଅଧିକ ଈର୍ଶାନି୍ୱତ ହୋଇ ବିଜେପିକୁ ଚାହିଁଲେ, ସେମାନେ ନିଜକୁ ବିକ୍ରି କରିଦେଲେ । ଆଜି ସେଥିପାଇଁ ସେମାନେ କେବଳ ସାଇନବୋର୍ଡ ହୋଇ ରହିଗଲେ । ସେମାନେ ଏହା ଉପରେ ବିଚାର କରିବା ଦରକାର । ଭାରତ ସ୍ୱାଧୀନତା ହେବା ପରେ ପ୍ରଥମଥର ପାଇଁ ୨୯୪ ଆସନ ବିଶିଷ୍ଟ ବେଙ୍ଗଲ ବିଧାନସଭାରେ କୌଣସି ବାମଦଳ କିମ୍ବା କଂଗ୍ରେସର ବିଧାୟକ ନାହାନ୍ତି । ବେଙ୍ଗଲରେ ସବୁଠାରୁ ଅଧିକ ଦିନ ଶାସନ କରିଥିବା ଦଳର ସବୁ ଆସନ ଏବେ ବିଜେପି ପାଖକୁ ଚାଲି ଯାଇଛି । ଲୋକମାନେ ଏବେ କେବଳ ବିଜେପି ଓ ଟିଏମସି ମଧ୍ୟରେ ଲଢ଼େଇ ହେଉଥିବା ଆକଳନ କରି ଭୋଟ ଦେଇଛନ୍ତି । ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ମାଲଦା ଓ ମୁର୍ଶିଦାବାଦର ଲୋକମାନେ ବିଜେପି ଅପେକ୍ଷା ଟିଏମସିକୁ ଅଧିକ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.