ଗଜପତିରେ ତହସିଲଦାର ଓ ପୋଲିସକୁ ମରଣାନ୍ତକ ଆକ୍ରମଣ ଘଟଣାର କିଙ୍ଗପିନ୍ ଗିରଫ

0 60

ପାରଳାଖେମୁଣ୍ଡି, ୯ା୫ : କରୋନା କଟକଣାକୁ ଉଲଂଘନ କରି ଭୋଜିଭାତ ଓ ପ୍ରସେସନ ଆସରରେ ବହୁ ଲୋକଙ୍କ ସମାଗମକୁ ବିରୋଧ କରିବା ଯୋଗୁଁ ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ଛେଳିଗଡ ଗ୍ରାମରେ ଶୁକ୍ରବାର ରାତିରେ ଆର୍.ଉଦୟଗିରି ତହସିଲଦାରଙ୍କ ସମେତ ଦୁଇ ପୋଲିସ ଅଧିକାରୀ ଏବଂ ୪ଜଣ ପୋଲିସ ଜବାନଙ୍କୁ ସାହି ବାସୀନ୍ଦା ଏକତ୍ରିତ ହୋଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ୍କୁ ଆଜି ଆର୍.ଉଦୟଗରି ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜାନୁଏଲ ବୀର(୨୮) କୁ ମହେନ୍ଦ୍ରଗଡ ଗ୍ରାମ ନିକଟରେ ଗିରଫ କରାଯାଇ ଥିବାର ପୋଲିସ ସୂଚନା ଦେଇଛି । ଜାନୁଏଲ ମୁଖ୍ୟ ଷଡଯନ୍ତ୍ରକାରୀ ଏବଂ ମରଣାନ୍ତକ ଆକ୍ରମଣ ପାଇଁ ସମସ୍ତଙ୍କୁ ଉଶୁକାଇ ଥିବାର ଜଣାପଡି ଥିବା ପୋଲିସ କହିଛି । ଆଜି ପୋଲିସ ସମ୍ପୃକ୍ତ ଅଞ୍ଚଳରେ ଛାନଭିନ କରିଥିଲେ । ହେଲେ ବିଗତ ରାତିରୁ ସାହି ବାସିନ୍ଦା ଘରଦ୍ୱାର ଛାଡି ପୋଲିସ ଗିରଫ ଭୟରେ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଯାଇ ଥିଲେ । ଅଞ୍ଚଳଟି ଜନଶୂନ୍ୟ ହୋଇପଡିଥିବା ଯୋଗୁଁ ପୋଲିସ କାହାକୁ ଗିରଫ କରିପାରିନାହିଁ । ଘଟଣାରୁ ପ୍ରକାଶ ଶୁକ୍ରବାର ରାତିରେ ଛେଳିଗଡ ଗ୍ରାମର ଖ୍ରୀଷ୍ଟିୟାନ ସାହିରେ କରୋନା କଟକଣାକୁ ଫୁ କରି ବିନୋଦ ବୀରଙ୍କ ପୁଅ ଏବଂ ଅମର ଲିମାଙ୍କ ଝିଅଙ୍କ ମଧ୍ୟରେ ବାହାଘର ଅନୁଷ୍ଠିତ ହେଉଥିଲା । ଏଥି ନିମନ୍ତେ ଆତସବାଜି ସହ ଭୋଜିଭାତର ଆସର ଚାଲିଥିଲା ବାହାଘର ଭୋଜି ଆୟୋଜନ ବହୁ ଲୋକଙ୍କ ସମାଗମରେ ଚାଲିଥିଲା । ଏହି ଖବର ପାଇ ଆର୍.ଉଦୟଗିରି ତହସିଲଦାର ସ୍ମୃତିରଂଜନ ଶତପଥିଙ୍କ ସମେତ ଆର୍.ଉଦୟଗିରି ପୋଲିସ ଖ୍ରୀଷ୍ଟିୟାନ ସାହି ପହଞ୍ôଚଥିଲେ । ଭୋଜିଭାତ ସହ ପ୍ରସେସନର ଆସରରେ ବହୁ ଲୋକଙ୍କ ସମାଗମ କରୋନା କଟକଣାକୁ ଉଲଂଘନ କରୁଥିବାରୁ ଏଥିରୁ ବାରଣ ପାଇଁ ପୋଲିସ ଓ ପ୍ରଶାସନ ପ୍ରକାଶ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଖ୍ରୀଷ୍ଟିୟାନ ସାହି ବାସିନ୍ଦା ତଥା ଭୋଜି ଆସରକୁ ଯୋଗ ଦେବା ପାଇଁ ଆସିଥିବା ଲୋକେ ଏକଜୁଟ ହୋଇ ତହସିଲଦାର ଶ୍ରୀ ଶତପଥିଙ୍କ ସହ ପୋଲିସ ଅଧିକାରୀ ମୁକେଶ କୁମାର ଲାକ୍ରା, ହେମନ୍ତ ସେଠୀଙ୍କ ସମେତ କାର୍ଯ୍ୟରତ ପୋଲିସକୁ ଗୋଡାଇ ଗୋଡାଇ ବାଡେଇବା ସହ ପଥର ମାଡ କରିଥିଲେ । ଶତାଧିକ ଲୋକଙ୍କ ଆକ୍ରମଣକାରୀଙ୍କ କବଳରୁ ପ୍ରାଣ ରକ୍ଷା କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏମାନେ କୌଣସି ମତେ ସେଠାରୁ ଖସି ଚାଲିଆସିଥିଲେ । ଏହି ଘଟଣାରେ ତହସଲିଦାରଙ୍କ ସହ ୨ପୋଲିସ ଅଧିକାରୀ ଓ ୪ ପୋଲିସ ଜବାନ ଆହାତ ହୋଇ ଆର୍.ଉଦୟଗିରି ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ଏସଡିପିଓ ଶ୍ରୀ ନାୟକ ଏନେଇ କହିଛନ୍ତି, ଘରଦ୍ୱାର ଛାଡି ସମସ୍ତେ ଅନ୍ତର୍ଦ୍ଧାନ ହୋଇ ଥିଲେ ସୁଦ୍ଧା ମୁଖ୍ୟ ଆସାମୀ ଧରାପଡିଥିବା ଯୋଗୁଁ ଏହାର ସୂଚନା କ୍ରମେ ଅନ୍ୟମାନଙ୍କୁ ଅତି ତୁରନ୍ତ ଗିରଫ କରାଯିବ ।

Leave A Reply

Your email address will not be published.