ସାକ୍ଷିଗୋପାଳଙ୍କ ଚନ୍ଦନ ଯାତ୍ରା ଆରମ୍ଭ : ଚାପ ଦେଖିବାରୁ ବଂଚିତ ଶ୍ରଦ୍ଧାଳୁ , ମନ୍ଦିର ଠାରୁ ଚନ୍ଦନପୋଖରୀ ପର୍ଯ୍ୟନ୍ତ ଅଂଚଳରେ ୧୪୪ ଧାରା ଜାରୀ

0 64

ସାକ୍ଷିଗୋପାଳ : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାକ୍ଷିଗୋପାଳଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଅପରାହ୍ନରେ ସାକ୍ଷିଗୋପାଳଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ମଣି ବିମାନ ଯୋଗେ ଚନ୍ଦନପୋଖରୀ ସ୍ଥିତ ଚନ୍ଦନ ଚକଡ଼ାକୁ ବିଜେ କରିଛନ୍ତି । ସେଠାରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ । ଦିନ ଚାପ ପରେ ଚନ୍ଦନ କୁଣ୍ଡରେ ଅବସ୍ଥାନ କରିବେ ମଦନମୋହନ । ଭୋଗ ପରେ ରାତି ୧୦ଟା ସୁଦ୍ଧା ମଣି ବିମାନ ଯୋଗେ ମନ୍ଦିରକୁ ଫେରିବେ ମଦନମୋହନ ।

ଆଜି ଠାରୁ ୨୧ ଦିନ ଧରି ଏହି ଚାପ ଅନୁଷ୍ଠିତ ହେବ । ୨୦ ଦିନରେ ଭଉଁରୀ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ପ୍ରଶାସନର କୋଭିଡ଼୍ କଟକଣା ପାଇଁ ଠାକୁର ଦର୍ଶନ ଓ ଚାପ ଦେଖିବାରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ସୀମିତ ସେବାୟତଙ୍କୁ ନେଇ ଠାକୁରଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି । ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଭକ୍ତ ସମାଗମ ଉପରେ ରୋକ୍ ଲଗାଇଛି ପ୍ରଶାସନ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନ୍ଦିର ଠାରୁ ଚନ୍ଦନପୋଖରୀ ପର୍ଯ୍ୟନ୍ତ ଅଂଚଳରେ ୧୪୪ ଧାରା ଜାରୀ କରାଯାଇଛି । ଆଜି ଦିନ ୩ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।

ଏହା ବ୍ୟତୀତ ଚନ୍ଦନପୋଖରୀ ଚର୍ତୁପାଶ୍ୱରେ ବ୍ୟାରିକେଡ୍ କରାଯାଇଛି ।  ଏନେଇ ଗତକାଲି ଏକ ପ୍ରସ୍ତୁତି ବୈଠକ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ସତ୍ୟବାଦୀ ଥାନା ଆଇଆଇସି ଦେବୀପ୍ରସାଦ ପାତ୍ର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ର, ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି କୋଭିଡ଼୍ କଟକଣାକୁ ଅନୁପାଳନ କରି କିପରି ଶାନ୍ତିଶୃଙ୍ଖଳାର ସହିତ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.